ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଭୁବନେଶ୍ୱର, ୦୧/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଦ୍ଵାରା ଚଳିତ ଅକ୍ଟୋବର ୧ ତାରିଖରେ  ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ଵର ସ୍ଥିତ ଫରେଷ୍ଟ ପାର୍କ ଠାରେ ସକାଳ ୬ ଘଟିକା ଠାରୁ ବରିଷ୍ଠ ନାଗରିକ ମାନଙ୍କ ଦ୍ଵାରା ଯୋଗ କାର୍ଯ୍ୟକ୍ରମ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶିକା, ଶ୍ରୀମତୀ ନିୟତି ପଟ୍ଟନାୟକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଗଣ ଯୋଗ ହେଇଥିଲେ ।

ଦିବା ୧୧ ଘଟିକା ସମୟରେ ଭୁବନେଶ୍ଵର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ଵାଗତ ଭାଷଣ ଦେବା ସହ ସମାଜରେ ବରିଷ୍ଠ ନାଗରିକ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ସଭାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭୁବନେଶ୍ଵର ଏକାମ୍ର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ସମାଜର ଦାୟିତ୍ଵ ଏବଂ କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲେ । ବର୍ତ୍ତମାନର ସରକାର ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ସଚେତନ ଥିବା ସହ ଏହାର ସମାଧାନ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଥିବା ପ୍ରକାଶ କରିଥିଲେ । ଉକ୍ତ ସଭାରେ ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଏବଂ ବିଶିଷ୍ଟ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ । ବିଭାଗୀୟ ନିର୍ଦ୍ଦେଶିକା, ଶ୍ରୀମତୀ ନିୟତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ସନ୍ଧ୍ୟାରେ ବିଶିଷ୍ଟ ବରିଷ୍ଠ ସଙ୍ଗୀତଜ୍ଞ ଏବଂ ଭିନ୍ନକ୍ଷମ କଳାକାରମାନଙ୍କ ଦ୍ଵାରା ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *