ସମବାୟ ମନ୍ତ୍ରାଳୟ ଦ୍ଵାରା ଆୟୋଜିତ ଦୁଇ ଦିନିଆ ଜାତୀୟ ସମୀକ୍ଷା ବୈଠକ ଉଦଯାପିତ

#       ସମବାୟ ସମିତି ଏଭଳି ସଶକ୍ତ ହେବା ଜରୁରୀ ଯେଉଁଠି ଚାଷୀମାନଙ୍କର ସମସ୍ତ ଆବଶ୍ୟକତା ପୂରଣ ହୋଇ ପାରିବ: ମୁଖ୍ୟ ଶାସନ ସଚିବ

#       ଗ୍ରାମାଞ୍ଚଳରେ ସମବାୟକୁ ସଶକ୍ତ କରିବାକୁ ହେବ ସମ୍ମିଳିତ ଉଦ୍ୟମ

#      ସଶକ୍ତ ସମବାୟ ଜରିଆରେ ସଶକ୍ତ ଭାରତ ଗଠନ ପାଇଁ ପ୍ରସ୍ତୁତ ରୋଡମ୍ୟାପକୁ କାର୍ଯ୍ୟକାରୀ ନିମନ୍ତେ ସହମତି

#       ‘ସହଯୋଗରେ ସମୃଦ୍ଧି’ ଦୂରଦୃଷ୍ଟିକୁ ପ୍ରାଧାନ୍ୟ

ଭୁବନେଶ୍ୱର,୦୧/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସମବାୟ ଅନୁଷ୍ଠାନମାନଙ୍କର ସଶକ୍ତିକରଣ ଏବଂ ଗ୍ରାମାଞ୍ଚଳରେ ସମବାୟ ସମିତିକୁ ମଜବୁତ କରିବା ଉଦ୍ଦେଶ୍ୟରେ ସମବାୟ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଜାତୀୟ ସମୀକ୍ଷା ବୈଠକ ଆଜି ସଫଳତାର ସହ ଶେଷ ହୋଇଛି । ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଅହୁଜା ଏହାକୁ ଉଦଘାଟନ କରିଥିବା ବେଳେ ସମବାୟ ମନ୍ତ୍ରାଳୟର ଶାସନ ସଚିବ ଡ଼ ଆଶିଷ କୁମାର ଭୁଟାନୀ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ କୁମାର ଆହୁଜା  ବୈଠକକୁ ସମ୍ବୋଧନ କରି କହିଥିଲେ, ସମବାୟ ସମିତି ଏଭଳି ସଶକ୍ତ ହେବା ଜରୁରୀ ଯେଉଁଠି ଚାଷୀମାନଙ୍କର ସମସ୍ତ ଆବଶ୍ୟକତା ପୂରଣ ହୋଇ ପାରିବ । ତୃଣମୂଳସ୍ତରରେ ଦୃଢ ସଂଗଠନ ଗଠନ କରିବାର ଆବଶ୍ୟକତା ରହିଛି ବୋଲି କହିବା ସହ ଗୁଣାତ୍ମକ ଇନପୁଟ୍, ଷ୍ଟୋରେଜ୍ ଷ୍ଟ୍ରକଚର, ପ୍ରକ୍ରିୟାକରଣ ସୁବିଧା, ଋଣ ସୁବିଧା ଏବଂ ବଜାର ସୁବିଧା ଭଳି ସମସ୍ତ ମୌଳିକ ଆବଶ୍ୟକତା ପୂରଣ ପାଇଁ ଜାତୀୟ ଅନୁଷ୍ଠାନମାନେ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ଅମୁଲ୍ ଓ ବହୁରାଜ୍ୟ ସମବାୟ ସମିତିର ଉଦାହରଣ ଦେଇ ସେ ଆହୁରି ମଧ୍ୟ କହିଛନ୍ତି,  କମ୍ପ୍ୟୁଟରୀକରଣ, ଜନ ଔଷଧୀ କେନ୍ଦ୍ର ପରି ପଦକ୍ଷେପ ସମେତ ସମବାୟ ସମିତି ଚାଷୀମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରିବାର ଏକମାତ୍ର କେନ୍ଦ୍ର । ଲୋକମାନଙ୍କର ନିଜର ଅନୁଷ୍ଠାନ ଭାବରେ ସମବାୟ ସମିତିର ଅନେକ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ତିନୋଟି କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପ୍ରତ୍ୟେକ ଗ୍ରାମ ଓ ପଞ୍ଚାୟତରେ ପହଞ୍ଚାଇବା ପାଇଁ ଜାତୀୟ ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା । ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ହେଲା ୨  ଲକ୍ଷ ନୂତନ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତିକୁ ସଶକ୍ତ କରିବା, ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି, ଶ୍ଵେତ ବିପ୍ଲବ ୨.୦ ପାଇଁ ଏସଓପି ପ୍ରସ୍ତୁତି ଏବଂ ସମବାୟ ମଧ୍ୟରେ ସହଯୋଗ । ସରକାରଙ୍କ ପ୍ରଥମ ୧୦୦  ଦିନରେ ସମବାୟ ମନ୍ତ୍ରାଳୟ ଦ୍ଵାରା ନିଆଯାଇଥିବା ଦଶଟି ପଦକ୍ଷେପ ମଧ୍ୟରୁ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଜାତୀୟ ସମ୍ମିଳନୀରେ ଏହି ତିନୋଟି ପ୍ରମୁଖ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ମନ୍ତ୍ରାଳୟର ୧୦୦  ଦିନିଆ କାର୍ଯ୍ୟ ଯୋଜନାର ସଫଳ ରୂପାୟନ ଉପରେ ବିଚାରବିମର୍ଶ କରିବାକୁ ଏହି ବୈଠକ କରାଯାଇଥିଲା । ସମବାୟ ଉଦ୍ୟୋଗଗୁଡ଼ିକର ପ୍ରଚାରପ୍ରସାର କ୍ଷେତ୍ରରେ ଯୁବପିଢ଼ିଙ୍କ ଯୋଗଦାନର ଆବଶ୍ୟକତା ରହିଛି । ସମବାୟ ସମିତିରେ ଯୁବପିଢ଼ିଙ୍କ ଯୋଗଦାନକୁ ବୃଦ୍ଧି, ସମବାୟ ଶିକ୍ଷା ଏବଂ ତାଲିମ ପ୍ରଣାଳୀକୁ ଆଧୁନିକୀକରଣ କରିବା ଆଗାମୀ ଦିନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଜିଡ଼ିପିରେ ଯୋଗଦାନ କ୍ଷେତ୍ରରେ ସମବାୟ ସମିତିର ପ୍ରମୁଖ ଭୂମିକା ରହିଛି ବୋଲି ସମବାୟ ମନ୍ତ୍ରାଳୟର ଶାସନ ସଚିବ ଡ଼ ଆଶିଷ କୁମାର ଭୁଟାନି ସୂଚନା ଦେଇଛନ୍ତି । ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ଗଠନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।  ମଡେଲ୍ ବାଇ ଲ ଗ୍ରହଣ ପ୍ରାଥମିକ କୃଷି ସମବାୟ ସମିତିକୁ ୨୫ ଟି ନୂତନ ବ୍ୟବସାୟ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବା ସହ କୃଷି ସମବାୟ ସମିତିକୁ ଆର୍ଥିକ ରୂପେ ସଶକ୍ତ କରିବ ।  ୩  ନୂତନ ସମବାୟ ସମିତି- ଜାତୀୟ ସମବାୟ ଏକ୍ସପୋର୍ଟ୍ସ ଲିମିଟେଡ୍, ଜାତୀୟ ସମବାୟ ଅର୍ଗାନିକ୍ସ୍ ଲିମିଟେଡ୍ ଏବଂ ଭାରତୀୟ ବୀଜ ସମବାୟ ସମିତି ଲିମିଟେଡ୍ ଗଠନ କୃଷି ସମବାୟ ସମିତି ପାଇଁ ରାଶି ବୃଦ୍ଧି କରିଛି ।  ଏହି ସମିତିଗୁଡିକ ଚାଷୀମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ନିଜ ଉତ୍ପାଦନର ରପ୍ତାନି ବୃଦ୍ଧି କରିବାରେ ସହାୟକ କରିବ ।  ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏକ ପ୍ରମୁଖ ପଦକ୍ଷେପ ଭାବରେ ସମବାୟ ମନ୍ତ୍ରାଳୟ ପ୍ରକୃତ ସମୟରେ ତଥ୍ୟ ସଂଗ୍ରହ ତଥା ଦେଶବ୍ୟାପୀ କାର୍ଯ୍ୟକ୍ରମଗୁଡ଼ିକର ଦୃଢ ତଦାରଖ ଏବଂ କାର୍ଯ୍ୟାନ୍ୱୟନ ପାଇଁ ଏନସିଡି ଡାଟାବେସ୍ ମାଧ୍ୟମରେ ଡିଜିଟାଇଜେସନ୍ ଉପରେ କାର୍ଯ୍ୟ କରୁଛି ।

ଡକ୍ଟର ଭୁଟାନି କହିଛନ୍ତି ଯେ ଦେଶରେ ସମବାୟ ଆନ୍ଦୋଳନକୁ ସୁଦୃଢ କରିବା ପାଇଁ ଆଗାମୀ ୫  ବର୍ଷରେ ୫୦ ପ୍ରତିଶତ ସମବାୟ ସଦସ୍ୟଙ୍କୁ ନିୟମିତ ଦକ୍ଷତା ବିକାଶ ତାଲିମ ପ୍ରଦାନ ଆୟୋଜନ କରାଯାଉଛି । ଏଥିସହିତ ଆସନ୍ତା ନଭେମ୍ବରରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ସମବାୟ ସମିତିରେ ଭାଗ ନେବାକୁ ସେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ବିଭାଗକୁ  ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ସମସ୍ତ ୨୮ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିଙ୍କ ସହ ବହୁ ଜାତୀୟ ସମବାୟ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ ।

-0-

ଆଲୋକ କୁମାର ମହାନ୍ତି,ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *