ଶ୍ରୀ ଅନ୍ନ ଅଭିଯାନ ତରଫରୁ ପୁଷ୍ଟିଶସ୍ୟ ଓ ବିସ୍ତୃତ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

                                                            ରେସ୍ତୋରାଁରେ ମିଳିବ ସୁସ୍ୱାଦୁ ପୁଷ୍ଟିକର ବ୍ୟଞ୍ଜନ

ଭୁବନେଶ୍ୱର,୦୧/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୁଷ୍ଟିଶସ୍ୟ ଓ ବିସ୍ତୃତ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଶ୍ରୀ ଅନ୍ନ ଅଭିଯାନ, ଓଡ଼ିଶା ହୋଟେଲ ଓ ରେସ୍ତୋରାଁ ଆସୋସିଏସନ୍‌ ଓ ହୋଟେଲ ମ୍ୟାନେଜମେଣ୍ଟ ଅନୁଷ୍ଠାନର ମିଳିତ ସହଯୋଗରେ ସେଫ୍‌ମାନଙ୍କ ପାଇଁ ୩ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡିକ ଭୁବନେଶ୍ୱରସ୍ଥିତ ହୋଟେଲ ମ୍ୟାନେଜମେଣ୍ଟ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଥିଲା । ହୋଟେଲ ଓ ରେସ୍ତୋରାଁରେ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟକୁ ସାମିଲ କରିବା ପାଇଁ ଗତ ସେପେଫମ୍ବର ୧୧ ଓ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେହିପରି ୧୮ ଓ ୧୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଅନ୍ତିମ ପର୍ଯ୍ୟାୟରେ ୨୪ ଓ ୨୫ ତାରିଖ ଦୁଇଦିନ ଧରି ବିସ୍ତୃତ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନଗୁଡିକ ମାଧ୍ୟମରେ ସେମାନେ ବିଭିନ୍ନ ପୁଷ୍ଟିଶସ୍ୟଭିତ୍ତିକ ଏବଂ ବିସ୍ତୃୃତ ଖାଦ୍ୟକୁ ସେମାନଙ୍କ ହୋଟେଲର ଖାଦ୍ୟ ତାଲିକାରେ ସାମିଲ କରିବା ପାଇଁ ପ୍ରଶିକ୍ଷଣ ନେଇଥିଲେ । ଏହି ଅବସରରେ ପୁଷ୍ଟିଶସ୍ୟ ଯେପରିକି ମାଣ୍ଡିଆ, ସୁଆଁ, ଜହ୍ନା ଓ କାଙ୍ଗୁ ସମେତ ମାଟିଆଳୁ, ଡଙ୍ଗାରାନୀ, କଳା କୋଳଥ ଓ ମହୁଲ ଆଦି ବିସ୍ତୃୃତ ଖାଦ୍ୟରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀର ପ୍ରଶିକ୍ଷଣ ଦିଆଯାଇଥିଲା ।

          ସାରା ରାଜ୍ୟରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ଅଧିନରେ ଶ୍ରୀ ଅନ୍ନ ଅଭିଯାନ ଓ ବିସ୍ତୃତ ଖାଦ୍ୟ ପ୍ରକଳ୍ପ ମାଧ୍ୟମରେ ପୋଷକତତ୍ତ୍ୱରେ ଭରପୂର ପୁଷ୍ଟିଶସ୍ୟ ଏବଂ ବିସ୍ତୃତ ଖାଦ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଘରୋଇସ୍ତରରେ ଏହାର ବ୍ୟବହାର ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ ମାଧ୍ୟମରେ ପୁଷ୍ଟିଶସ୍ୟ ଏବଂ ବିସ୍ତୃତ ଖାଦ୍ୟର ବ୍ରାଣ୍ଡିଂ, ବିଭିନ୍ନ ସହଭାଗିତାମୂଳକ କାର୍ଯ୍ୟକ୍ରମ ଏବଂ ହୋଟେଲ ଓ ରେସ୍ତୋରାଁଗୁଡିକର ଖାଦ୍ୟ ତାଲିକାରେ ସେସବୁକୁ ସାମିଲ କରାଯିବ । ଓଡ଼ିଶା ହୋଟେଲ ଓ ରେସ୍ତୋରାଁ ଆସୋସିଏସନ୍‌, ଓଡ଼ିଶା ରେସ୍ତୋରାଁ ସଂଗଠନ ଏବଂ ଅନ୍ୟାନ୍ୟ ସଂଗଠନର ମିଳିତ ସହଯୋଗରେ କରାଯାଇଥିବା ଏହି ପ୍ରୟାସ ଆସନ୍ତା ନଭେମ୍ବର ୧୦ ଏବଂ ୧୧ତାରିଖରେ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ତୃତ ଖାଦ୍ୟ ସମ୍ମିଳନୀରେ ଅନ୍ତିମ ପର୍ଯ୍ୟାୟକୁ ଯିବ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ‘ଦ କ୍ରାଉନ’, ହୋଟେଲ ପୁଷ୍ପକ, ଚକୋଲାକା, ସୋଆ ବିଶ୍ୱବିଦ୍ୟାଳୟ, ଗ୍ରୀନ ଚିଲ୍ଲିଜ୍‌, ସ୍ୱସ୍ତି ଗ୍ରାଣ୍ଡ, ପଲ୍‌ ହାଇଟ୍ସ, ଏମ୍ପାୟର୍ସ, ପିପୁଲ ପଦ୍ମଜା ପ୍ରିମିୟମ ହୋଟେଲ, ଟ୍ରାଇଡେଣ୍ଟ, ସିଭି ରମଣ ବିଶ୍ୱବିଦ୍ୟାଳୟ ଏବଂ ବୋକା କାଫେ ଆଦି ଭଳି ୪୭ଟି ପ୍ରମୁଖ ଅନୁଷ୍ଠାନର ୭୭ଜଣ ସେଫ୍‌ ଅଂଶଗ୍ରହଣ କରିଥିଲେ । 

          ହୋଟେଲ ପିପୁଲ ପଦ୍ମଜା ପ୍ରିମିୟମର ସେଫ୍‌ ପ୍ରତାପ ଚନ୍ଦ୍ର ନାୟକ କହିଛନ୍ତି, ପୁଷ୍ଟିଶସ୍ୟ ଏବଂ ବିସ୍ତୃତ ଖାଦ୍ୟଭିତ୍ତିକ ପ୍ରଶିକ୍ଷଣ ପ୍ରେରଣାଦାୟକ ଏବଂ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ପୁଷ୍ଟିକର ଖାଦ୍ୟକୁ ଆଧୁନିକ ଖାଦ୍ୟଥାଳିରେ ସାମିଲ କରିବା ଏବଂ ଆମ ଗ୍ରାହକଙ୍କୁ କିଛି ଭିନ୍ନ ସ୍ୱାଦଭରା ଖାଦ୍ୟ ପରଷିବା ଅତ୍ୟନ୍ତ ଖୁସିର ବିଷୟ । ମୁଁ ଆମ ହୋଟେଲର ଖାଦ୍ୟ ତାଲିକାରେ ଏହି ବ୍ୟଞ୍ଜନଗୁଡିକୁ ଅନ୍ତର୍ଭୁକ୍ତ କରିବା ନେଇ ଆଶା କରୁଛି ।

          ଏହି ପ୍ରଶିକ୍ଷଣ ସମ୍ପର୍କରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ୍‌ର ଅଧ୍ୟକ୍ଷା ଶ୍ରୀମତୀ ସାରଦା ଘୋଷ କହିଛନ୍ତି, ଶ୍ରୀ ଅନ୍ନ ଅଭିଯାନ ଅଧିନରେ ଏହି ପଦକ୍ଷେପର ଏକ ଅଂଶ ହୋଇ ଆମେ ଗର୍ବିତ, ଯାହା ପାରମ୍ପରିକ ଖାଦ୍ୟ ଓ ଏହାର ପ୍ରସ୍ତୁତି ମଧ୍ୟରେ ଏକ ମାଧ୍ୟମ ସାଜିଛି । ହୋଟେଲ ଓ ରେସ୍ତୋରାଁର ଖାଦ୍ୟ ତାଲିକାରେ ପୁଷ୍ଟିଶସ୍ୟ ଏବଂ ବିସ୍ତୃତ ଖାଦ୍ୟକୁ ସାମିଲ କରିବା ପାଇଁ ସେଫ୍‌ମାନଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ କେବଳ ସୁସ୍ଥ ଏବଂ ଉପଯୋଗୀ ଖାଦ୍ୟକୁ ପ୍ରୋତ୍ସାହିତ କରୁନାହିଁ ବରଂ ଆମର ପାରମ୍ପରିକ ସମୃଦ୍ଧ ଖାଦ୍ୟ ଐତିହ୍ୟକୁ ମଧ୍ୟ ପ୍ରଦର୍ଶନ କରୁଛି ।

-0-

 ସୁଶ୍ରୀ ସଙ୍ଗୀତା ମହାରଣା ,ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *