ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ରେ ବିପୁଳ ନକଲି ମଦ କାରବାର ଘଟଣା ରେ ୫ ଜଣ ଗିରଫ

ନିଶ୍ଚିନ୍ତକୋଇଲି, ୨୭/୯/୨୦୨୪ ( ଓଡିଶା ସମାଚାର / ଅଭୟ ଜେନା) – ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଅଧିନସ୍ଥ ଗୋତରା ପଂଚାୟତ ପ୍ରହରାଜପୁର ଗ୍ରାମରୁ ବିପୁଳ ପରିମାଣର ନକଲି ମଦ ଜବତ କରାଯାଇଛି । ପ୍ରକାଶ ଯେ କଟକ ଅବକାରୀ ବିଭାଗର ୧୦ ଜଣିଆ ଟିମ ନିଶ୍ଚିନ୍ତକୋଇଲି ଏସ.ଆର. ବାର ଓ ରେଷ୍ଟୁରାଣ୍ଟରେ ଚଢାଉ କରିଥିଲେ । ସ୍ୱତନ୍ତ୍ର ଅବକାରୀ ଟିମ୍ ଭଦ୍ରେଶ୍ୱର ଥାନା ପ୍ରହରାଜପୁର ଗ୍ରାମରେ ଏକ ଭଡାଘର ଉପରେ ଚଢାଉ କରି ସେଠାରେ ବିଦେଶୀ ନକଲି ମଦ ସହିତ ନକଲି ବିଦେଶୀ ମଦ ତିଆରରେ ବ୍ୟବହୃତ ହେଉଥିବା କେମିକାଲସ୍ ,ଠିପି ,ଖାଲି ବୋତଲ ଓ ନାମାଦାମୀ ବିଦେଶୀ ମଦ କଂପାନୀର ଲେବୁଲ ଆଦି ଜବତ କରିବା ସହ ଏଥିରେ ସଂପୃକ୍ତ ୫ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଟକ ଅବକାରୀ ସୁପରିନଟେଣ୍ଡେଟ କେ.ଏସ୍. ତିୱାରୀଙ୍କ ଠାରୁ ସୂଚନା ମିଳିଛି । ସୂଚନା ଅନୁସାରେ ନିଶ୍ଚିନ୍ତକୋଇଲି ଠାରେ ଥିବା ଏସ.ଆର. ବାର ଆଣ୍ଡ ରେଷ୍ଟୁରାଂଟ ଏବଂ ତାଙ୍କ ପ୍ରହରାଜପୁରସ୍ଥିତ ବାସଗୃହ ଅନତି ଦୂରରେ ଏକ ଅବକାରୀ ବିଭାଗ ୧୦ ଜଣିଆ ଟିମ ଚଢାଉ କରି ଲକ୍ଷାଧିକ ଟଙ୍କାର ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ଜବତ ସାମଗ୍ରୀ ମଧ୍ୟରେ ୧୧ ଶହ ଲିଟର ନକଲି ମଦ ,୮ ହଜାର ଠିପି ,୯୪୦୦ (ଇଏ.ଏଲ.) ଖଣ୍ଡ,୧ ହଜାର ଖାଲି ବୋତଲ ,ମ୍ୟାକଡେଏଲନଂ୧ କଂପାନୀର ୧୧୯୦ ଖଣ୍ଡ ଲେବୁଲ ,୩ଟି ସ୍ଖୁଟି ଓ ୫ଟି ମୋବାଇଲ ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ୯ ଲକ୍ଷ ୧୫ ହଜାର ବୋଲି ସୂଚନାରୁ ଜଣାପଡିଛି । ନିଶ୍ଚିନ୍ତକୋଇଲି ଅବକାରୀ ଥାନା କେଶ୍ ନଂ ୬୪/୨୪-୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ପ୍ରକାଶ । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ସୌମ୍ୟରଂଜନ ପ୍ରଧାନ, ଜଗନ୍ନାଥ ନାୟକ, ପବିତ୍ର ଜେନା, ଶ୍ରୀନିବାସ ପ୍ରଧାନ ଓ ମାହାଙ୍ଗା ଥାନା ଅନ୍ତର୍ଗତ ଖନ୍ଦୋଳ ଗ୍ରାମର ଶରତଚନ୍ଦ୍ର ବାରିକ ଥିବା ଜଣାପଡିଛି । ଏଠାରେ ସୁଚନା ଥାଉ କି ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ସମୟ ଧରି ଏଠାରେ ନକଲି ମଦ ପ୍ରସ୍ତୁତ କରାଯାଇ ମାହାଙ୍ଗା,ନିଶ୍ଚିନ୍ତକୋଇଲି ଆଦି ବିଭିନ୍ନ ଅଂଚଳକୁ ପଠାଯାଉଥିଲା । ଏଥିରେ ସଂପୃକ୍ତ ଥିବା ଅନ୍ୟ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ସୁପରିନଟେଡେଣ୍ଟ କେ.ଏସ୍. ତିୱାରିଙ୍କଠାରୁ ସୂଚନା ମିଳିଛି । କିଭଳି ଭାବରେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ଅବଗତ ନଥିଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସ୍.ଆର ବାର ଆଣ୍ଡ ରେଷ୍ଟୁରାଣ୍ଟକୁ ସିଲ୍ କରାଯାଇଛି । ଏହି ନକଲି ମଦ ପ୍ରସ୍ତୁତ କରାଯାଇ କୋଟି କୋଟି ଟଙ୍କା ବାର ମାଲିକ ଆୟ କରୁଥିବା ସାଧାରଣରେ ଆଲୋଚନା ହେଉଛି । ଏହାର ଏକ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି । ଗଞ୍ଜାମ ଚିକିଟି ମଦ ମୃତ୍ୟୁ ଘଟଣା ପରେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢାଉ କରାଯାଇଥିଲା । ଆଗକୁ ପାର୍ବଣର ଋତୁ ଥିବାବେଳ ମାହାଙ୍ଗା ଓ ଭଦ୍ରେଶ୍ୱର ଥାନା ଅଂଚଳରେ ବିଭିନ୍ନ ମଦ ଦୋକାନରେ ନକଲି ମଦ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *