ଦୁଇ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗକୁ ନେଇ ଥାନାରେ ମାମଲା

ରାଉରକେଲା, ୨୩/୯/୨୦୨୪ (ଓଡ଼ିଶା ସମାଚାର)- ରାଉରକେଲା ସହରରେ ଦୁଇଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗକୁ ନେଇ ଥାନାରେ ମାମଲା ହୋଇଛି । ବିଜେପି ନେତ୍ରୀ ତଥା ସମାଜସେବୀ ପ୍ରମିଳା ଦାସ ଏବଂ ସମାଜସେବୀ  ରିତା ସିଂହ ଏ ସମ୍ପର୍କରେ ନାବାଳିକାଙ୍କ ସମ୍ପର୍କୀୟଙ୍କ ସହିତ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି । ଏ ସମ୍ପର୍କରେ ସହରର ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ତତ୍ପର ହୋଇଛି। ଏହି ଗଣ ଦୁଷ୍କର୍ମ ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ପିଡ଼ିତାଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ପଠାଇଛନ୍ତି। ଏହି ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ସମ୍ପର୍କରେ ପୋଲିସ୍ ତଦନ୍ତ ଜାରି ରଖିଛି। ସୂଚନା ମୁତାବକ ଶନିବାର ସନ୍ଧ୍ୟାରେ ଦୁଇ ଜଣ ନାବାଳିକା ବିଶ୍ରା ଛକ ନିକଟକୁ କିଛି କିଣାକିଣି ପାଇଁ ଯାଇଥିଲେ । ଏହି ସମୟରେ ସେମାନଙ୍କୁ ବସ୍ ଷ୍ଟାଣ୍ଡ ନିକଟରେ ୩ ଜଣ ଯୁବକ ଏକ ଅଟୋ ରେ ବଳପୂର୍ବକ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ନାବାଳିକାଙ୍କୁ ମାଡ ମାରିବା ସହ ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ ହୋଇଛି। ଏହି କଥା ପ୍ରଘଟ କଲେ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ପୀଡ଼ିତା କହିଛନ୍ତି। ପୀଡ଼ିତା ନାବାଳିକା ଦ୍ୱୟ ଏ ବାବଦରେ ମାଲ ଗୋଦାମ ଅଞ୍ଚଳରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଖବର ଦେବା ପରେ ପ୍ଲାଣ୍ଟ ସାଇଟ୍ ଥାନାରେ ଏତଲା ଦିଆ ଯାଇଥିଲା। ପୋଲିସ ତଦନ୍ତ କରି ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛନ୍ତି ।

Leave a Reply

Your email address will not be published. Required fields are marked *