ଜିଲା ପରିଷଦର ସ୍ୱତନ୍ତ୍ର ବୈଠକ

                                                              ଜିଲାରୁ ଦୂର ହେବ ଶିକ୍ଷକ ସମସ୍ୟା
କେନ୍ଦ୍ରାପଡ଼ା, ୧୮/୯/୨୦୨୪ (ଓଡ଼ିଶା ସମାଚାର)- ଷଷ୍ଠ କେନ୍ଦ୍ରାପଡ଼ା ଜିଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ବୁଧବାର ଜିଲା ପରିଷଦ ସଭାପତି ଲିଲିତା ଦାସଙ୍କ ଅଧ୍ୟକ୍ଷ୍ୟତାରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲାରେ ରହିଥିବା ଶିକ୍ଷକ ସମସ୍ୟା ଦୂର ହେବ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା । ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୩ ସେପ୍ଟେମ୍ବର ମାସରେ କନିଷ୍ଠ ଶିକ୍ଷକ ପଦବୀ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଥିଲା । ପରେ କେନ୍ଦ୍ରାପଡ଼ା ଜିଲା ପାଇଁ ୧୨୬୫ଟି ଅନୁମୋଦିତ ପଦବୀ ନିମନ୍ତେ ଅନଲାଇନ ମାଧ୍ୟମରେ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା । ଏହା ପରେ ୧୧୬୫ଟି ଯୋଗ୍ୟ ପ୍ରାର୍ଥୀଙ୍କ ନଥିପତ୍ର ଯାଂଚ କରାଯାଇଥିଲା । ଜିଲା ପାଇଁ ୧୦୩୮ଜଣଙ୍କ ଯୋଗ୍ୟ ତାଲିକା ପ୍ରକାଶ ପାଇଥିଲା । ଏଥିରେ ଜିଲାର ବିଭିନ୍ନ ବିଦ୍ୟାଳୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଠାରୁ ଖାଲିଥିବା ବିଦ୍ୟାଳୟମାନଙ୍କର ତାଲିକା ମଗାଯାଇ ୧୦୩୮ଗୋଟି ବିଦ୍ୟାଳୟର ତାଲିକା ସରକାରଙ୍କୁ ପ୍ରେରଣ କରାଯାଇଥିଲା । ଆଜି ଜିଲାପରିଷଦ ବୈଠକରେ ଅନୁମୋଦନ ହୋଇଛି । ବ୍ଲକୱାରୀ ଖାଲିଥିବା ଶିକ୍ଷକ ପଦବୀ ପୁରଣ ହେବା ବେଳେ ଯେଉଁ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି ସେହି ବିଦ୍ୟାଳୟରେ ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜିଲାପାଳ କହିଥିଲେ । ଚୂଡ଼ାନ୍ତ ତାଲିକାର ଅନୁମୋଦନ ନିମନ୍ତେ ଉକ୍ତ ବୈଠକ ଆହ୍ୱାନ କରାଯାଇଥିଲା । ବୈଠକରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଜିଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ନିଲୁ ମହାପାତ୍ର, ଜିଲାପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା, ସାଂସଦଙ୍କ ପ୍ରତିନିଧି ଶଶାଙ୍କ ଶେଖର ସେଠୀ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଜିଲା ପରିଷଦ ସମସ୍ତ ଜୋନର ସଦସ୍ୟ/ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *