ପୁରୀ/ଭୁବନେଶ୍ୱର,୦୬/୦୪/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରବିବାର ପବିତ୍ର ଶ୍ରୀରାମନବମୀ । ଶ୍ରୀମନ୍ଦିରରେ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ରାମନବମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀରାମ ଙ୍କ ଜନ୍ମ ନୀତି ଅନୁଷ୍ଠିତ ହେବ । ସ୍ୱତନ୍ତ୍ର ନୀତି ପାଳନ ହେବା ପାଇଁ ଏହି ୫ ଘଂଟା ସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶନିବାର ସୂଚନା ମିଳିଛି । ଭୁବନେଶ୍ୱର ରାମ ମନ୍ଦିରରେ ରାମ ନବମୀ ଉପଲକ୍ଷେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ପ୍ରାତଃ ୫.୩୦ରୁ ମଙ୍ଗଳ ଆରତି ସହ ରାତ୍ରି ୯.୩୦ ପର୍ଯ୍ୟନ୍ତ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚାଲିବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା ରହିଥିବା ବେଳେ ଖରାକୁ ଆଖି ଆଗରେ ରଖି ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଏହା ସହ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସିସିଟିଭି ସହ ପୋଲିସ ହେଲ୍ପଡେସ୍କ ମଧ୍ୟ ଭକ୍ତ ପାଇଁ ରହିଛି । ଠାକୁରଙ୍କ ଜନ୍ମ ମହୋତ୍ସବ ସହ ଠାକୁରଙ୍କ ପୋଷାକ ପରିବର୍ତନ ନୀତିକାନ୍ତି ସମୟରେ ୧୧.୩୦ରୁ ୧୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
