ଡିଏଭି ପବ୍ଲିକ ସ୍କୁଲରେ ନୋ ଡ୍ରଗ୍ସ ସଚେତନତା ଶିବିର

କେନ୍ଦ୍ରାପଡ଼ା, ୦୨/୦୯/୨୦୨୬ (ଓଡ଼ିଶା ସମାଚାର)- ଗରାପୁରସ୍ଥିତ କେନ୍ଦ୍ରାପଡା ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ କେନ୍ଦ୍ରାପଡ଼ା ସଦର ଥାନା ପକ୍ଷରୁ ‘ନୋ ଡ୍ରଗ୍ସ’ ବା ନିଶାମୁକ୍ତ ସମାଜ ଗଠନ ଉଦ୍ଧେଶ୍ୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କେନ୍ଦ୍ରାପଡ଼ା ସଦର ଥାନା ଅଧିକାରୀ ପଦ୍ମାଳୟା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଶାଦ୍ରବ୍ୟର କୁପ୍ରଭାବ, ଯୁବପିଢ଼ି ଉପରେ ଏହାର ଭୟାବହ ପ୍ରଭାବ ଏବଂ ନିଶାଠାରୁ ଦୂରେଇ ରହିବାର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ ।

ସେ ଛାତ୍ରଛାତ୍ରୀମାନଙ୍କୁ ନିଶାଦ୍ରବ୍ୟ ପ୍ରତି ‘ନା’ କହି ସୁସ୍ଥ, ଶୃଙ୍ଖଳିତ ଓ ଦାୟିତ୍ୱବାନ ନାଗରିକ ହେବାକୁ ଆହ୍ୱାନ ଦେଇଥିଲେ । ସେହିପରି ରିଜର୍ଭ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ ନିଶା ସେବନର ସାମାଜିକ ଓ ଶାରୀରିକ କୁପ୍ରଭାବ ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ଜୀବନ ପାଇଁ ପ୍ରେରଣା ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ନିଶାମୁକ୍ତ ସମାଜ ଗଠନରେ ଶିକ୍ଷାନୁଷ୍ଠାନ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ ।

ଏହି ଶିବିରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଯୋଗଦେଇ ନିଶା ବିରୁଦ୍ଧରେ ସଚେତନତା ସୃଷ୍ଟି ପାଇଁ ସଂକଳ୍ପ ନେଇଥିଲେ । ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବାରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହୋଇଥିଲା ।

Leave a Reply

Your email address will not be published. Required fields are marked *