ପୂଜ୍ୟପୂଜା ଆମ ସଂସ୍କୃତିର ଏକ ଅଙ୍ଗ

ଗାନ୍ଧୀମଣିଷ ଦୋଳଗୋବିନ୍ଦଙ୍କ ଷଷ୍ଠତମ ଶ୍ରାଦ୍ଧ ଉତ୍ସବରେ  ସ୍ମୃତିବନରେ ବୃକ୍ଷପୂଜା
ଭୁବନେଶ୍ୱର, ୧୬/୯/୨୦୨୪ (ଓଡ଼ିଶା ସମାଚାର)- ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ପ୍ରତିଷ୍ଠାନ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ, ଗାନ୍ଧୀ ମଣିଷ ଦୋଳଗୋବିନ୍ଦ ପ୍ରଧାନଙ୍କ ଷଷ୍ଠତମ ଶ୍ରାଦ୍ଧ ଉତ୍ସବ ସୋମବାର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ମହାସମାରୋହରେ ପାଳିତ ହୋଇଯାଇଛି ।
ପୂର୍ବାହ୍ନରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପାତ୍ରପଡ଼ାଠାରେ ଥିବା ସ୍ମୃତିବନରେ ବୃକ୍ଷ ପୂଜା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ ଶରତ ପଟ୍ଟନାୟକ ସ୍ମୃତିବୃକ୍ଷରେ ଜଳଦାନ କରି କହିଲେ ଯେ, ବିଶ୍ୱରେ ଜଳବାୟୁ ପରିବର୍ତନ ଆମକୁ ସତର୍କ କରୁଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଯୁବ ସମାଜକୁ ଉଦ୍ବୁଦ୍ଧ କରିବ ବୋଲି ମୋର ବିଶ୍ୱାସ । ସୁବାର୍ତାର ସମ୍ପାଦକ ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀ ଜଳଦାନ କରି କହିଲେ ଯେ, ପୂଜ୍ୟପୂଜା ଆମ ପାତାଳଭେଦି ସଂସ୍କୃତି । ଜଣେ ମହାନ୍ ଦେଶସେବକଙ୍କ ପାଇଁ ମୁଁ ବୃକ୍ଷରେ ଜଳଦାନ କରି ନିଜକୁ ଭାଗ୍ୟବାନ ମନେ କରୁଛି ।
ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ସ୍ୱାଗତ ଭାଷଣରେ ବୃକ୍ଷ ହିଁ ଜୀବନ ଉପରେ ଏକ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ସ୍ୱାଇଁ, ପୁଷ୍ପରାଜ ପ୍ରଧାନ, ଅଶୋକ କୁମାର ମିଶ୍ର, ଶାରଦା ପ୍ରସନ୍ନ ପରିଜା, ପୃଥ୍ୱୀରାଜ ପ୍ରଧାନ, ବିଜୟ କୁମାର ବିଶ୍ୱାଳ ସ୍ୱର୍ଗତ ପ୍ରଧାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ସ୍ୱାମୀ ବ୍ରହ୍ମନନ୍ଦ ସରସ୍ୱତୀ, ସଂଗ୍ରାମୀ ନଟବର ସିଂହ, ଭଗବାନ ରାଉତ, ଯଶୋଦା ଦେବୀ ଓ ପରେଶ ସିଂହଙ୍କ ସ୍ମୃତି ବୃକ୍ଷକୁ ମଧ୍ୟ ପୂଜା କରାଯାଇଥିଲା । କାର୍ଯ୍ୟକ୍ରମକୁ ସ୍ମୃତିବନର ଭାରପ୍ରାପ୍ତ ଅଧିକାରୀ ବିଶ୍ୱରଞ୍ଜନ ସାହୁ, ଲକ୍ଷ୍ମଣ ସାହୁ, ଅମୂଲ୍ୟ ଜେନା, ଜିତେନ୍ଦ୍ର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।
ପୂର୍ବାହ୍ନ ୧୦ ଘଟିକା ସମୟରେ ଦୟାନନ୍ଦ ଆଦର୍ଶ ଗୁରୁକୁଳ, ଖୋର୍ଦ୍ଧାଠାରେ ପ୍ରଜ୍ଞାରାଜ ପ୍ରଧାନଙ୍କ ଯଜମାନତ୍ୱରେ ଏକ ଶାନ୍ତିଯଜ୍ଞ ଅନୁଷ୍ଠିତ ହୋଇଥିଲା । ଅନ୍ତେବାସୀ ବ୍ରହ୍ମଚାରୀମାନେ ସ୍ୱର୍ଗତ ପ୍ରଧାନଙ୍କ ଶ୍ରାଦ୍ଧୋତ୍ସବ ଆଚାର୍ଯ୍ୟ ଧର୍ମରାଜଙ୍କ ପୌରହିତ୍ୟରେ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *