ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ଦ୍ୱାରା ହିନ୍ଦୀ ଦିବସ ପାଳନ

ରାଉରକେଲା, ୧୪/୯/୨୦୨୪ (ଓଡ଼ିଶା ସମାଚାର)- ଆଜି ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲା ଆନୁକୂଲ୍ୟରେ ସେକ୍ଟର ୧୮ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ, ପ୍ରେକ୍ଷାଳୟରେ ହିନ୍ଦୀ ଦିବସ ମହାସମାରୋହରେ ପାଳନ କରାଯାଇଥିଲା । ଏହି ଅବସରେ ଚେମ୍ବର ଅଫ କମର୍ସ,ରାଉରକେଲା ର ପ୍ରାକ୍ତନ ସଭାପତି ତଥା ବିଶିଷ୍ଟ ସମାଜସେବୀ ସୁନିଲ କାୟଲ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରି କହିଲେ- ହିନ୍ଦୀ ଆମର ରାଜଭାଷା ରୂପେ ସମ୍ବିଧାନ ଦ୍ୱାରା ସ୍ୱୀକୃତି ଲାଭ କରିଛି,ରାଷ୍ଟ୍ରଭାଷା ହିନ୍ଦୀ ପାଇଁ ଆମର ପ୍ରୟାସ ଜାରି ରହିଛି । ଅଣ ହିନ୍ଦୀ ରାଜ୍ୟରେ ହିନ୍ଦୀର ବହୁଳ ପ୍ରଚାର ପ୍ରସାର ପାଇଁ ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ କାର୍ୟ୍ୟରତ। ମାତୃଭାଷାର ଉନ୍ନତି ସଙ୍ଗେ ସଙ୍ଗେ ରାଷ୍ଟ୍ରଭାଷାର ଉନ୍ନତି ଆମର ଧ୍ୟେୟ ।ଏଥି ପାଇଁ ଦୃଢ ମନୋବଳ ଓ ସମର୍ପଣ ଭାବର ଆବଶ୍ୟକତା ରହିଛି। ଅବସରପ୍ରାପ୍ତ ହିନ୍ଦୀ ଅଧ୍ୟାପକ ଆଦିତ୍ୟ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ ସମ୍ପ୍ରତ୍ତି ରାଜଭାଷା ରୂପେ ପ୍ରଚଳିତ। ହିନ୍ଦୀ ରାଷ୍ଟ୍ରଭାଷାର ମର୍ୟ୍ୟାଦା ପାଇ ନାହିଁ, ସେଥିପାଇଁ ଦେଶର କୋଣ ଅନୁକୋଣରେ ସ୍ୱର ଉତ୍ତୋଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାର୍ୟ୍ୟକ୍ରମ ସଭାପତି ସୁଶ୍ରୀ ଗ୍ରେସୀ ଡାଭିଡ ହିନ୍ଦୀ ଆମର ଅସ୍ମିତା, ସଂସ୍କୃତିର ପରିଚାୟକ,ଏହାର ସମ୍ମାନ ସମ୍ପୂର୍ଣ ଦେଶର ସମ୍ମାନ ବୋଲି ଅଭିହିତ କରିଥିଲେ । ଉତ୍କଳମଣି ଗୋପବଂଧୁ ଶିକ୍ଷା ଓ କଲ୍ୟାଣ ଟ୍ରଷ୍ଟର ସଭାପତି ପ୍ରଭାତ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂସ୍ଥାନର ପ୍ରବନ୍ଧନ ନ୍ୟାସୀ ତଥା ସମ୍ପାଦକ ଡକ୍ଟର ଜଗନ୍ନାଥ ଦାଶ ହିନ୍ଦୀ ଦିବସ ଆୟୋଜନର ଉଦ୍ଦେଶ୍ୟ, ଉପଯୋଗିତା ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ଓ କାର୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ । ଦୀପିକା ଇସ୍ପାତ ଶିକ୍ଷା ସଦନର ବିଦ୍ୟାର୍ଥୀଗଣ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ହାଇସ୍କୁଲ ଓ +୨ ସ୍ତରୀୟ ହିନ୍ଦୀ ବକ୍ତୃତା ପ୍ରତିଯୋଗିତାର ବିଜେତାମାନଙ୍କୁ ମୁଖ୍ୟ ଅତିଥିଙ୍କ କରକମଳରେ ଉପହାର ଓ ପ୍ରମାଣପତ୍ର ବିତରଣ କରାଯାଇଥିଲା । ଅନ୍ୟ ଅତିଥିଙ୍କ ମଧ୍ୟରେ ଆଲେଖ ଚନ୍ଦ୍ର ନାୟକ,ସୁଧାଂଶୁ ମିଶ୍ର, ମହିଳା ସଂହତି ର ନିଧି ସିଂହଲ,ପୁନମ ଗୁପ୍ତା, ଅସୀମା ମିଶ୍ର, ଆଦ୍ୟାଶା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ସୁଶ୍ରୀ ସୋହନ କୁମାରୀ ହିନ୍ଦୀ ଦିବସ ଉପଲକ୍ଷେ ବକ୍ତବ୍ୟ ରଖିଥିଲେ।ଏହାପରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ବିଜୟିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ୟ୍ୟକ୍ରମରେ ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ,ବିଦ୍ୟାର୍ଥୀଗଣ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ସାମଲଙ୍କ କୁଶଳ ମାର୍ଗଦର୍ଶନରେ ସମସ୍ତ କାର୍ୟ୍ୟ ସମ୍ପାଦିତ ହୋଇଥିଲା । କାର୍ୟ୍ୟକ୍ରମ ପରିଚାଳନା ରେ ମୋନାଲିସା ଗୈାଡ, ଶ୍ରୀବତ୍ସ ସାମଲ,ନୀଳିମା ମହାପାତ୍ର,ରେଖା ବୋଷ,ଲୀନା ମହାନ୍ତି, ଲକ୍ଷ୍ମୀ ସାହୁ ପ୍ରମୁଖ ସହଯୋଗ କରିଥିବାବେଳେ ଶେଷରେ ସ୍କାଉଟ ଆଣ୍ଡ ଗାଇଡ ଙ୍କ ସହଯୋଗରେ ଅତିଥିମାନେ ବୃକ୍ଷ ରୋପଣ କରିଥିଲେ।

Leave a Reply

Your email address will not be published. Required fields are marked *