ସାହିତି୍ୟକ କୃତୀର ବିଭିନ୍ନ ଭାଷାରେ ଅନୁବାଦ ସମାଜର ସାମୂହିକ ଚେତନାକୁ ସମୃଦ୍ଧ କରେ – ରାଜ୍ୟପାଳ
ଭୁବନେଶ୍ୱର, ୨୮/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସାହିତ୍ୟ ସର୍ବଦା ବିଭିନ୍ନ ଅଂଚଳର ସଂସ୍କୃତି ମଧ୍ୟରେ ସେତୁ ସ୍ଥାପନ କରିଥାଏ ଯାହା ଭାଷା ଏବଂ ଭୌଗୋଳିକ ସୀମା ମଧ୍ୟରେ ସୀମିତ ନୁହେଁ । ବିଭିନ୍ନ ଭାଷାର ସାହିତି୍ୟକ କୃତୀର ଅନ୍ୟ ଭାଷାରେ ବ୍ୟାପକ ଅନୁବାଦ ଦ୍ୱାରା ସମାଜର ସାମୂହିକ ଚେତନା ସମୃଦ୍ଧ ହୋଇପାରିବ ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି ।
ଆଜି ପୂର୍ବାହ୍ନରେ ରାଜଭବନର ନୁ୍ୟ-ଅଭିଷେକ ହଲ୍ ଠାରେ ଗୋଆର ରାଜ୍ୟପାଳ ଶ୍ରୀ ପି.ଏସ୍. ଶ୍ରୀଧରନ ପିଲ୍ଲାଇଙ୍କ ଦ୍ୱାରା ଇଂରାଜୀ ଭାଷାରେ ଲିଖିତ ମାଲାୟମ କ୍ଷୁଦ୍ର ଗଳ୍ପ ସଂକଳନ ‘ଅନ୍ ଦି ସାଇଡ୍ ଅଫ୍ ଦି ଆେଞ୍ଜଲ୍ସ୍’ର ଓଡ଼ିଆ ଭାଷାରେ ଅନୁବାଦ ପୁସ୍ତକ ‘ଆଶାର ଆଲୋକ’କୁ ରାଜ୍ୟପାଳ ଶ୍ରୀ ଦାସ ଉନ୍ମୋଚନ ସହିତ ଲୋକାର୍ପିତ କରିଥିଲେ ଏବଂ ପୁସ୍ତକର ପ୍ରଥମ ସଂଖ୍ୟା ବିଶିଷ୍ଟ ଲେଖିକା ଜ୍ଞାନପୀଠ ପୁରସ୍କାର ବିଜେତା ପଦ୍ମଭୂଷଣ ଡ଼କ୍ଟର ପ୍ରତିଭା ରାୟଙ୍କୁ ପ୍ରଦାନ କରିଥିଲେ । ରାଜ୍ୟପାଳ ଏପରି ଅନୁବାଦ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ଦୃଢ଼ୀଭୂତ କରିବା ସହ ଏହା ଏପରି ଏକ ଦୃଷ୍ଟିକୋଣ ଯାହା ବିବିଧତା ମଧ୍ୟରେ ଏକତାର ପରିଚୟ ବହନ କରୁଛି ଓ ଦୁଇ ରାଜ୍ୟ ମଧ୍ୟରେ ସାଂସ୍କୃତିକ ବନ୍ଧନକୁ ମଜବୁତ କରିବ ବୋଲି ଆଶା ପ୍ରକାଶ କରିଥିଲେ । ଗୋଆ ରାଜ୍ୟପାଳଙ୍କୁ ତାଙ୍କ ସାହିତି୍ୟକ କୃତୀ ପାଇଁ ରାଜ୍ୟପାଳ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ପୁସ୍ତକର କୁଶଳତା ପୂର୍ବକ ଅନୁବାଦ କରିଥିବାରୁ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଡ଼କ୍ଟର ନିରଂଜନ ସାହୁଙ୍କୁ ଧନ୍ୟବାଦ ଦେଇଥିଲେ । ଓଡ଼ିଶାର ପାଠକ ପାଠିକାମାନଙ୍କୁ କ୍ଷୁଦ୍ର ଗଳ୍ପଗୁଡ଼ିକ ଆନନ୍ଦ ପ୍ରଦାନ କରିବା ସହିତ ଓଡ଼ିଆ ସାହିତ୍ୟକୁ ଅଧିକ ସମୃଦ୍ଧ କରିବ ବୋଲି ରାଜ୍ୟପାଳ କହିଥିଲେ ।
ଗୋଆର ରାଜ୍ୟପାଳ ଶ୍ରୀ ପି.ଏସ୍. ଶ୍ରୀଧରନ ପିଲ୍ଲାଇ ନିଜ ଅଭିଭାଷଣରେ ନିଜର ଶାସ୍ତ୍ରୀୟ ଭାଷାର ମାନ୍ୟତା ହାସଲ କରିଥିବା ଓଡ଼ିଆ ଭାଷାରେ ତାଙ୍କ ପୁସ୍ତକ ଅନୁଦିତ ହୋଇଥିବାରୁ ଅଶେଷ ଆନନ୍ଦ ପ୍ରକାଶ କରିବା ସହିତ କ୍ଷୁଦ୍ର ଗଳ୍ପ ମାଧ୍ୟମରେ ମାନବିକ ଚେତନାକୁ ଜାଗ୍ରତ କରାଇବା ସେଙ୍ଗ ସେଙ୍ଗ ବିଭିନ୍ନ ସାଂପ୍ରତିକ ସମସ୍ୟା ସଂପର୍କରେ ସଚେତନତା ସୃଷ୍ଟି ତାଙ୍କର ମୂଳ ଉଦ୍ଧେଶ୍ୟ ବୋଲି କହିଥିଲେ । ଜ୍ଞାନପୀଠ ପୁରସ୍କାର ବିଜେତା ପଦ୍ମଭୂଷଣ ଡ଼କ୍ଟର ପ୍ରତିଭା ରାୟ ‘ଆଶାର ଆଲୋକ’ ପୁସ୍ତକର ପ୍ରଥମ ସଂଖ୍ୟା ଗ୍ରହଣ କରି ଅଭିଭୂତ ବୋଲି ପ୍ରକାଶ କରିବା ସହ ଅନୁବାଦ ସାହିତ୍ୟର ଦିଗ ଏବଂ ପ୍ରଭାବ ସୁଦୂରପ୍ରସାରୀ ଓ ଦୀର୍ଘ ସ୍ଥାୟୀ ବୋଲି କହିଥିଲେ । ଏପରି ପ୍ରୟାସ ସ୍ୱାଗତଯୋଗ୍ୟ ଯାହା ରାଜ୍ୟ ରାଜ୍ୟ ମଧ୍ୟରେ ସଂପର୍କକୁ ସୁଦୃଢ଼ କରିବ ବୋଲି ମଧ୍ୟ ସେ କହିଥିଲେ ।
“ଆଶାର ଆଲୋକ” ପୁସ୍ତକର ସମୀକ୍ଷା କରି ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର ତଥା ବିଶିଷ୍ଟ ସମୀକ୍ଷକ ଶ୍ରୀ ଯତୀନ ନାୟକ ଜୀବନରେ କ୍ଷୁଦ୍ର ଗଳ୍ପର ବିଶେଷ ଭୂମିକା ରହିଛି ଓ ଉକ୍ତ ପୁସ୍ତକରେ ସ୍ଥାନିତ ଛଅଗୋଟି କ୍ଷୁଦ୍ର ଗଳ୍ପ ବେଶ୍ ଉଚ୍ଚକୋଟିର ଏବଂ ପାଠକ ପାଠିକାମାନେ ଏଥିରୁ ଆନନ୍ଦ ଲାଭ କରିବେ ବୋଲି କହିଥିଲେ । ପ୍ରାରମ୍ଭରେ ଅନୁବାଦକ ଡ଼କ୍ଟର ନିରଂଜନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୁସ୍ତକର ପ୍ରକାଶକ ‘ବିଦ୍ୟାପୁରୀ’ ପ୍ରକାଶନ ସଂସ୍ଥାର ଶ୍ରୀ ଜୀବନାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ପୁସ୍ତକ ଲୋକର୍ପଣ ଉତ୍ସବରେ ଗୋଆ ରାଜ୍ୟପାଳଙ୍କ ସହଧର୍ମିଣୀ ତଥା ପ୍ରଥମ ମହିଳା ଶ୍ରୀମତୀ ରୀତା ଶ୍ରୀଧରନ ପିଲ୍ଲାଇ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶଦାତା ସନ୍ତୋଷ କୁମାର ଶତପଥୀଙ୍କ ସମେତ ଓଡ଼ିଆ ସାହିତ୍ୟର ବିଶିଷ୍ଟ ଲେଖକ, ଲେଖିକା, କବି, ଗାଳ୍ପିକ, ଅନୁବାଦକ ଏବଂ ମାଲାୟଲମ ଭାଷାଭାଷୀ ଅନୁଷ୍ଠାନର କର୍ମକର୍ତା ଏହି ଉତ୍ସବରେ ଯୋଗ ଦେଇଥିଲେ ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀଙ୍କ ସୌଜନ୍ୟରୁ