ଭଞ୍ଜନଗର,୧୩/୦୬/୨୦୨୬ (ଓଡ଼ିଶା ସମାଚାର)-ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅପରାଧିକ ତତ୍ୱ ପ୍ରତି ପୁଲିସ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି । ଅପରାଧୀ ତଥା ବନ୍ଧୁକ ସଂସ୍କୃତିରେ ବିଶ୍ୱାସ ରଖୁଥିବା ଅସାମାଜିକ ବ୍ୟକ୍ତି ମାନଙ୍କୁ ସାମାଜିକ ସ୍ରୋତରେ ସାମିଲ ହୋଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆହ୍ୱାନ କରାଯାଉଛି । ନଚେତ୍ ପୁଲିସ ସେହି ଅପରାଧୀମାନଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ ଦିଆଯିବ ବୋଲି ଭଞ୍ଜନଗର ଥାନା ପରିସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଭଞ୍ଜନଗର ଏସଡିପିଓ ଡ଼.ଦୀପକକୁମାର ମିଶ୍ର ସାଧାରଣରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କୁ ଚେତାବନୀ ଦେଇଛନ୍ତି । ଗତକିଛି ଦିନ ଧରି ଗଞ୍ଜାମ ଜିଲାରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡିବାରେ ଲାଗିଥିବା ବେଳେ ଦିନ ଦ୍ୱିପ୍ରହରରେ ଦୃର୍ବୃତମାନେ ଆତଙ୍କ ଖେଳାଇବାକୁ ପଛାଉ ନଥିଲେ । ଏହି ପରିପ୍ରେକ୍ଷୀରେ ଏସପିଙ୍କ ନିର୍ଦେଶ କ୍ରମେ ପେସାଦାର ଅପରାଧୀଙ୍କୁ ନଜର ରଖିବା ସହ ବିଶୃଙ୍ଖଳା ସୃଷ୍ଟି କାରୀଙ୍କ ବିରୁଦ୍ଧରେ କଡା କାଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ରଣନୀତି ପ୍ରସ୍ତୁତ କରିଥିବା ଏସଡିପିଓ ଶ୍ରୀ ମିଶ୍ର ସୂଚନା ଦେଇଥିଲେ ।
ସଦ୍ୟ ଏକ ଘଟଣାରେ ଜଣେ ଯୁବକକୁ ଦିନ ଦ୍ୱିପ୍ରହରରେ ମରଣାନ୍ତକ ଆକ୍ରମଣ କରିବା ସହ ଧମକ ଚମକ ଦେବା ଅଭିଯୋଗରେ ଜଣେ ପେସାଦାର ଅପରାଧୀ ସମେତ ମୋଟ ୫ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନେ ହେଲେ ଜଗନ୍ନାଥ ପ୍ରସାଦ ଥାନା ବିଡ଼ିପୁର ଗ୍ରାମର ଶତ୍ରୁଘନ ସ୍ୱାଇଁ ଓରଫ ବାପି,ସୋରିଷମୁଳିର ରାଜେନ୍ଦ୍ର ନାଇକ,ବିଡ଼ିପୁରର ଅନୀଲ ନାଇକ, ବାରୁଡ଼ାଗ୍ରାମର ସାଗର ସାମନ୍ତରା,ଅନୁଗୋଳ ଜିଲା ସାଉଥ ବଲଣ୍ଡାର ରିତେଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ମିଶ୍ର ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ବାରୁଡ଼ା ଗ୍ରାମର ସୁଶାନ୍ତ କୁମାର ସାହୁକୁ ଅଭିଯୁକ୍ତମାନେ ଗତ ୯ ତାରିଖ ଦିନ ମଧ୍ୟାହ୍ନ ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିଥିଲେ । ଏହା ପରେ ପୁଣି ସେମାନେ ସୁଶାନ୍ତର ଘରକୁ ଯାଇ କବାଟକୁ ଗୋଇଠା ମାରି ଜୀବନରେ ମାରିବାକୁ ଧମକ ଦେଇଥିଲେ । ଏହି ସମୟରେ ଆଖପାଖ ଲୋଜ ଜମା ହୋଇଥିଲେ ମଧ୍ୟ ଅଭିଯୁକ୍ତ ମାନେ ଧମକ ଦେବା ସହ ସୁଶାନ୍ତଙ୍କ ଭାଉଜ ଓ ତାର ଝିଆରୀକୁ ଅପହରଣ କରିବାକୁ ଧମକ ଦେଇଥିଲେ ।
ଏ ନେଇ ସୁଶାନ୍ତଙ୍କ ଭାଉଜ ଥାନାରେ ଲିଖିତ ଅଭିଯୋଗ କରିବା ପରେ କେସ ନମ୍ୱର ୫୭୧ରେ ଏକ ମାମଲା ରୁଜୁ କରି ଉପରୋକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୁଲିସ ଏସଂକ୍ରାନ୍ତରେ ଏକ ସଂଗଠିତ ଅପରାଧ ମାମଲା ରୁଜୁ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ୯ଏମଏମ ପିସ୍ତଲ, ଗୋଟିଏ ସିଙ୍ଗିଲ୍ ସଟ୍ ପିସ୍ତଲ ଜବତ କରାଯାଇଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପେସାଦାର ନାମରେ ବିଭିନ୍ନ ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ବୋମା ବିସ୍ଫୋରଣ, ବେଆଇନ ବନ୍ଧୁକ ଚାଲାଣ, ଦାଦାବଟି ଆଦାୟ କରିବା ଭଳି ୧୪ ଗୋଟି ମାମଲା ପୂର୍ବରୁ ରହିଥିବା ଏସଡିପିଓ ଶ୍ରୀ ମିଶ୍ର କହିଛନ୍ତି । ସାମ୍ୱାଦିକ ସମ୍ମିଳନୀରେ ଏସଆଇ ସମୀର କୁମାର ସେଠୀ, ଲଷ୍ମୀଧର ମହାନ୍ତି, ଜ୍ୟୋସ୍ନାମୟୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
