କେନ୍ଦ୍ରାପଡ଼ା,୦୬/୯/୨୦୨୪ (ଓଡ଼ିଶା ସମାଚାର)-ସୁଭଦ୍ରା ଯୋଜନାରୁ ଯେପରି କୌଣସି ହିତାଧିକାରୀ ବାଦ ନ ପଡ଼ନ୍ତି ସେଥିପ୍ରତି ରାଜ୍ୟ ସରକାର ସଜାଗ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଫର୍ମ ଦାଖଲ କରିବା ପାଇଁ ଆଧାର ସହ ମୋବାଇଲ ନମ୍ବର ସଂଯୋଗ ହୋଇ ନଥିଲେ ବି ବାୟୋମେଟ୍ରିକ ପଦ୍ଧତିରେ ଆଧାର ପ୍ରମାଣୀକରଣ କରାଯାଇ ପାରିବ । ମୋବାଇଲ ନମ୍ବର ସହିତ ଲିଙ୍କ ହୋଇନଥିଲେ ମଧ୍ୟ ନିଜର ଫିଙ୍ଗରପ୍ରିନ୍ଟ ଦେଇ ‘ସୁଭଦ୍ରା’ ଫର୍ମ ଦାଖଲ କରାଯାଇପାରିବ । ତେଣୁ ବିନା ମୋବାଇଲ ନମ୍ବର ସଂଯୋଗରେ ମଧ୍ୟ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନପତ୍ର ପୂରଣ ଓ ପଞ୍ଜିକରଣ କରାଯାଇ ପାରିବ । ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରିବାକୁ ବ୍ୟସ୍ତ ନହୋଇ ଗହଳି ନକରି ବିନା ଫୋନ ନମ୍ବର ଲିଙ୍କରେ ବି ଫର୍ମ ପୁରଣ କରାଯାଇ ଦାଖଲ କରାଯାଇପାରିବ । ପଞ୍ଜିକରଣର କୌଣସି ଶେଷ ତାରିଖ ନିର୍ଦ୍ଧାରିତ ହୋଇ ନଥିବାରୁ ଆବେଦନକାରୀମାନେ ବିବ୍ରତ ନହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏ ସଂପର୍କରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର କାର୍ୟ୍ୟରତ ଡେପୁଟୀ କଲେକ୍ଟର ତଥା ଭାରପ୍ରାପ୍ତ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ କୁଇନ୍ ଜେନା ସୂଚନା ଦେଇଛନ୍ତି ।