ତିକନପୁର ଠାରୁ ପନ୍ଦିଆ ନଦୀ ବନ୍ଧ ମରାମତି ଓ ପିଚୁ ରେ ଅନିୟମିତତା ଅଭିଯୋଗ —

ରାସ୍ତା ଅବରୋଧ କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି
ଗରଦପୁର, ୦୭/୧୨/୨୦୨୩ (ଓଡ଼ିଶା ସମାଚାର)- ତିକନପୁର ଠାରୁ ପନ୍ଦିଆ ପର୍ଯ୍ୟନ୍ତ ଚିତ୍ରୋତ୍ପଳା ନଦୀ ବନ୍ଧ ମରାମତି ଓ ପିଚୁ କାମ ହେଉଛି । ଏହି କାମରେ ବ୍ୟାପକ ଅନିୟମିତତା ହେଉଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ଅଭିଯୋଗ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି କାର୍ଯ୍ୟ କରାଯାଉଥିବାବେଳେ ତିକନପୁର ଗ୍ରାମର ଦୁଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନେ ନଦୀ ବନ୍ଧ ଅବରୋଧ କରିଥିଲେ । ଘଟଣାସ୍ଥଳରେ ବିଭାଗିୟ ଅଧିକାରୀ କି ଠିକାଦାର ନପହଂଚିବା ଦ୍ୱାରା ଏହି ନଦୀ ବନ୍ଧରେ ଦୀର୍ଘ ସମୟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଏହି ଖବର ପାଇ ପଂଚାୟତର ସମିତି ସଭ୍ୟ ଙ୍କ ପ୍ରତିନିଧି ତଥା ସମାଜସେବୀ ଅଂଜନ ଦେବତା ଘଟଣାସ୍ଥଳରେ ପହଂଚି ଯନ୍ତ୍ରୀଙ୍କ ସହିତ ଫୋନ୍ ଯୋଗେ କଥା ହେବା ପରେ ମହିଳାମାନେ ଅବରୋଧ ରୁ ହଟିଥିଲେ । ପ୍ରକାଶ ଥାଉକି ଉକ୍ତ ୨ କିମି ନଦୀ ବନ୍ଧ ମରାମତି ଓ ପିଚୁ ପାଇଁ ବିଭାଗ ପକ୍ଷରୁ ୨୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରାଯାଉଅଛି । ଏହି କାମ ପାଇଁ କେତେ ଉଚତାର ବାଲି , ଗୋଡ଼ି ପଡ଼ିବ କିମ୍ବା କେତେ ଇଂଚର ପିଚୁ ହେବ ସେଥିପାଇଁ ସୂଚନା ଫଳକ ତିଆରି ହୋଇ ନାହିଁ କି ସୂଚନା ପ୍ରଦାନ କରାଯାଉନାହିଁ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ଏ ନେଇ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିଥିଲେ ହେଁ ଏହାର କିଛି ପ୍ରଭାବ ନପଡ଼ିବା ପରେ ମା ବଜ୍ରେଶ୍ୱେରୀ ଓ ମା ଶାରଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ବୈଜୟନ୍ତୀ ଦେବତା, ନମିତା ଦେବତା, ମୋନାଲିସା ଦେବତା, ଉଷାରାଣୀ ଦେବତା, ମନସ୍ୱିନୀ ଦେବତା , ସଂଯୁକ୍ତା ଦେବତା , ପ୍ରିୟଙ୍କା ଦେବତା , ସମିତା ଦେବତା , ସରୋଜିନୀ ଦେବତା ଓ କବିତା ଦେବତାଙ୍କ ସମେତ ଉକ୍ତ ଦୁଇ ଗୋଷ୍ଠିର ସଦସ୍ୟା ମାନେ ଆଜି ନଦୀବନ୍ଧ ଅବରୋଧ କରିଥିଲେ । ଏହି ବିଷୟରେ କନିଷ୍ଠ ଯନ୍ତ୍ରୀ ମନୋରଂଜନ ଷଢ଼ଙ୍ଗିଙ୍କୁ ପଚାରିବାରୁ ଆସନ୍ତା କାଲି କାର୍ଯ୍ୟସ୍ଥଳକୁ ଯାଇ ଯାହା ଅନିୟମିତତା ନେଇ ଅଭିଯୋଗ ହୋଇଛି, ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *