ଜଗତସିଂହପୁର,୦୫/୯/୨୦୨୪ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଆଜି ଅପରାହ୍ନ ଘ. ୫.୩୦ମି ସମୟରେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ,(ଭା ପ୍ର ସେ) ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ବୀପ ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ସୁଭଦ୍ରା ଯୋଜନା ହିତାଧିକାରୀ ଦରଖାସ୍ତ ଫର୍ମ ଅଙ୍ଗନବାଡି ଦିଦି ମାନେ ଘର ଘର ବୁଲି ବଣ୍ଟନ କରିବେ । ଏହି ସମ୍ବନ୍ଧିତ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟର ସୁଭଦ୍ରା ସହାୟତା କେନ୍ଦ୍ରରେ ଯୋଗାଯୋଗ କରି ପାରିବେ ଓ ଟୋଲଫ୍ରି ୧୪୬୭୮ ରେ ଯୋଗାଯୋଗ କରିବେ । ଯୋଗ୍ୟ ହିତାଧିକାରୀମାନେ ନିଜ ଆଧାର କାର୍ଡ, ମୋବାଇଲ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ର ସମସ୍ତ ଦରକାରୀ କାଗଜପତ୍ର ନେଇ ଚିହ୍ନଟ ହୋଇଥିବା ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ଜନ ସେବା କେନ୍ଦ୍ର ଠାରେ ନିଜ ନାମ ସୁଭଦ୍ରା ପୋର୍ଟାଲରେ ପଞ୍ଜିକରଣ କରିପାରିବେ । ଏଥି ନିମନ୍ତେ e-KYC ର ବ୍ୟବସ୍ଥା ଅଛି (OTP based, Fingerprint/Bio-metric, Iris, Face Authentication) । ଇତି ମଧ୍ୟରୁ କୌଣସି ଏକ e-KYC ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନେ ପଞ୍ଜିକରଣ କରିପାରିବେ । ଏହି ସମୟରେ ହିତାଧିକାରୀମାନେ ନିଜେ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଛି । ହିତାଧିକାରୀଙ୍କ ଅନୁପସ୍ଥିତିରେ କୌଣସି ପ୍ରାମାଣିକିକରଣ କରାଯିବ ନାହିଁ । ଆବେଦନକାରୀଙ୍କୁ କୌଣସି ସ୍ତରରେ ଏଥି ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ସୁଭଦ୍ରା ଫର୍ମ ସଂପୂର୍ଣ୍ଣ ଦେୟମୁକ୍ତ ଅଟେ। ଏଥିନିମନ୍ତେ ଜିଲ୍ଲା ରେ ସମୁଦାୟ ୬୫୦ ଜନସେବା କେନ୍ଦ୍ର ଏବଂ ୨୭୪ ଟି ମୋ ସେବା କେନ୍ଦ୍ର ଉପଲବ୍ଧ ଅଛି । ଯେଉଁଠାରେ ଆବେଦନକାରୀ ମାନେ ନିଜର ଫର୍ମ ପୂରଣ କରି କଲର ରିସିପ୍ଟ ସଂଗ୍ରହ କରିପାରିବେ। ଆବେଦନକରୀ ମାନଙ୍କର ଆଧାର ତୃଟି ସଂଶୋଧନ ନିମନ୍ତେ ବ୍ଲକ ସ୍ତରରେ ସୁବନ୍ଦୋବସ୍ତ କରାଯାଇଛି। ଏହି ଯୋଜନା ର ବହୁଳ ପ୍ରସାର ନିମନ୍ତେ ସୁଭଦ୍ରା ରଥ ଜିଲ୍ଲାର ସମସ୍ତ ଅଂଚଳରେ ପରିଭ୍ରମଣ କରିବ। ଏ ଯାବତ୍ ଜିଲ୍ଲା ରେ ମୋଟ୍ ୪୭୮୫୦୦ ଫର୍ମ ପ୍ରିଣ୍ଟ ହୋଇସାରିଛି ଏବଂ ଏଥିମଧ୍ୟରୁ ୩୭୬୦୦୦ ଫର୍ମ ବଣ୍ଟନ ହୋଇ ସାରିଛି। ଏହି ଫର୍ମ ଅଙ୍ଗନୱାଡ଼ି ସେଣ୍ଟର,ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ରେ ଉପଲବ୍ଧ। ଜିଲ୍ଲା ର ୧୮୧୫ ଅଙ୍ଗନବାଡ଼ି ସେଣ୍ଟର ରହିଛି ।
ନିଷ୍କ୍ରିୟ ଥିବା ଆଧାର କାର୍ଡ ଗୁଡିକରେ ଆବଶ୍ୟକ ପରିବର୍ତ୍ତନ କରିବା ପାଇଁ ଆମ ଜିଲ୍ଲାରେ ଆଧାର ସଂଶୋଧନ କ୍ୟାମ୍ପ କରାଯାଇଛି । ଜନ ଗହଳି ହେଉଥିବା କେନ୍ଦ୍ରଗୁଡିକ ପରିସରରେ ପୋଲିସ ପାଟ୍ରୋଲିଂ କରାଯାଇ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ସୁବନ୍ଦୋବସ୍ତ କରାଯାଇଛି । ଶୃଙ୍ଖଳିତ ଭାବରେ ଜନ ସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରରେ ପହଞ୍ଚି ନିଜ ନାମ ପଞ୍ଜିକୃତ କରିହେବ । ସୁଭଦ୍ରା ଯୋଜନା ଅନ୍ତର୍ଗତ ଆବେଦନ କରିବା ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ । ଏହା ଏକ ନିରନ୍ତର ପ୍ରକ୍ରିୟା ତେଣୁ ବ୍ୟସ୍ତ ନ ହୋଇ ସମୟର ସହିତ ଫର୍ମ ଦାଖଲ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ଏହି ସମ୍ମିଳନୀରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।