ଭୁବନେଶ୍ୱର, ୨୯/୮/୨୦୨୪ (ଓଡ଼ିଶା ସମାଚାର)- ଏକତରଫା ପ୍ରେମ ରୁ ରାଜଧାନୀରେ ଗଡିଲା ମୁଣ୍ଡ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା କଲା ପ୍ରେମପାଗଳ ନାବାଳକ ପ୍ରେମିକ । ଖଣ୍ଡଗିରି ଥାନା ଶୁକବିହାର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତକ ଜଗା ମଲ୍ଲିକ ବୋଲି ଜଣାପଡିଛି। ଏ ନେଇ ଖଣ୍ଡଗିରି ଥାନାରେ ମାମଲା ରୁଜ୍ଜୁ ହୋଇଥିବାବେଳେ ଅଭିଯୁକ୍ତକୁ ପୁଲିସ୍ ଅଟକ ରଖିଛି। ମିଳିଥିବା ସୂଚନା ଅନୁସାରେ ଜଗତ ମଲ୍ଲିକ ଓରଫ୍ ଜଗା (୩୩) ଙ୍କ ଝିଆରୀକୁ ସେହି ସାହିର ଜଣେ ଯୁକ୍ତ ଦୁଇ ଛାତ୍ର ଏକତରଫା ପ୍ରେମ କରୁଥିଲା। ଯାହାକୁ ଜଗା ବିରୋଧ କରିଥିଲେ । ତେଣୁ ରାସ୍ତାରୁ କଣ୍ଟା ହଟାଇବାକୁ ଯାଇ ବିଭତ୍ସ ଭାବରେ ପ୍ରେମିକ। ର ଦାଦା ଜଗାଙ୍କୁ ହତ୍ୟା କରିଥିବା ପୁଲିସ୍ କହିଛି। ବୁଧବାର ରାତି ୧୨ଟା ବେଳେ ଜଗା ଘରକୁ ଫେରୁଥିବାବେଳେ ଯୁବକ ଜଣକ ଜଗାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଜଣାପଡିଛି।
ଜଗା ଅଟୋ ଚଳାଇ ପରିବାର ପୋଷଣ କରନ୍ତି। ଆଉ ସେହି ସାହିର ଜଣେ ଯୁକ୍ତ ଦୁଇ ଛାତ୍ର ଜଗାର ଝିଆରୀକୁ ଏକତରଫା ପ୍ରେମ କରୁଥିଲା। ଯାହାକୁ ଜଗା ବିରୋଧ କରିଥିଲେ । ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ବି ଦେଇଥିଲେ। ମାତ୍ର ପ୍ରେମକୁ ଭୁଲି ପାରୁ ନ ଥିବା ନାବାଳକ ରକ୍ତମୁଖା ହୋଇ ପ୍ରେମ ରାସ୍ତାରେ କଣ୍ଟା ସାଜିଥିବା ଦାଦାଙ୍କୁ ହଟାଇବାକୁ ଯୋଜନା କରିଥିଲା । କାଲି ବୁଧବାର ରାତିରେ ଜଗା କଟକ ରୁ ବାଇକରେ ଘରକୁ ଫେରୁଥିବା ସମୟରେ ଘର ଠାରୁ ୧୦୦ ମିଟର ଦୂରରେ ଅଭିଯୁକ୍ତ ଯୁବକ ଓ ତାଙ୍କ ସହଯୋଗୀ ଜଗାଙ୍କୁ ରାସ୍ତାରେ ଅଟକାଇଥିଲେ। ସେଠାରେ ନାବାଳକ ଓ ତାଙ୍କ ସହଯୋଗୀ ଙ୍କ ସହ ଜଗାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାରି ଭିତରେ ନାବାଳକ ଜଣକ ଏକ ଖଣ୍ଡାରେ ଜଗାଙ୍କ ବେକକୁ ଆକ୍ରମଣ କରିଥିଲା। ଜଗାଙ୍କ ବେକରେ ଗଭୀର ଆଘାତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସେ ପ୍ରାଣ ବଞ୍ଚାଇବାକୁ ରକ୍ତାକ୍ତ ଅବସ୍ଥାରେ ବାଇକ୍ ଚଳାଇ ଘରକୁ ଯାଇଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ପରିବାର ଲୋକେ ପଡ଼ୋଶୀଙ୍କ ସହାୟତାରେ ଏମ୍ସରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାରେ ସଂପୃକ୍ତ ପ୍ରେମିକ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିଛି। ଖବରପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ମୃତକଙ୍କ ଘର ଯାଏଁ ରାସ୍ତା ସାରା ରକ୍ତ ଛିଟା ପଡ଼ିଛି। ପୁଲିସ ସେସବୁକୁ କର୍ଡନ କରିବା ସହିତ ଆଜି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ନମୁନା ସଂଗ୍ରହ କରିବ ବୋଲି ଜଣାପଡିଛି। ହତ୍ୟାକାଣ୍ଡ ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।