ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ
ଜାତୀୟ ମଞ୍ଚରେ ଓଡ଼ିଶାର ସଡ଼କ ସୁରକ୍ଷା ପଦକ୍ଷେପ ଉଚ୍ଚ ପ୍ରଶଂସିତ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୮/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସଡ଼କ ସୁରକ୍ଷାରେ ପଦକ୍ଷେପ ନେବାରେ ଦେଶରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି । ଦିଲ୍ଲୀରେ ଫିକି ପକ୍ଷରୁ ଆୟୋଜିତ ଷଷ୍ଠ ସଡ଼କ ସୁରକ୍ଷା କନକ୍ଲେଭ ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଓଡ଼ିଶାକୁ ସମ୍ମାନିତ କରିଛନ୍ତି । ଓଡ଼ିଶା ପକ୍ଷରୁ ଯୁଗ୍ମ ପରିବହନ କମିସନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କ ନିକଟରୁ ସମ୍ମାନ ଗ୍ରହଣ କରିଛନ୍ତି ।
ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସମସ୍ତ ରାଜ୍ୟ ନେଉଥିବା ପଦକ୍ଷେପ ମଧ୍ୟରେ ଓଡ଼ିଶାର ପଦକ୍ଷେପ ଉଚ୍ଚ ପ୍ରଶଂସିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଓଡ଼ିଶାକୁ ସମ୍ମାନିତ କରିବା ସହ ଏନଫୋର୍ସମେଣ୍ଟ, ରୋଡ୍ ଇଞ୍ଜିନିୟରିଂ ଉପରେ ଅଧିକରୁ ଅଧିକ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି । ସଡ଼କ ସୁରକ୍ଷା ଦିଗରେ ଚାଳକମାନଙ୍କ ପ୍ରଶିକ୍ଷଣ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏକ୍ଷେତ୍ରରେ ଓଡ଼ିଶାର ‘ସୁବାହକ’ ଯୋଜନାକୁ ସମଗ୍ର ଦେଶରୁ ସମବେତ ସଡ଼କ ସୁରକ୍ଷା ବିଶେଷଜ୍ଞମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ସରକାର ସମସ୍ତ ଖର୍ଚ୍ଚ ବହନ କରି ରାଜ୍ୟରେ ଚାରିଟି ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠାପୂର୍ବକ ଯାନଚାଳକମାନଙ୍କୁ ଦେଉଥିବା ପ୍ରଶିକ୍ଷଣ ପଦ୍ଧତି ଓ ସେଠାରୁ ପ୍ରଶିକ୍ଷିତ ଚାଳକମାନଙ୍କ ଶୂନ୍ୟ ଦୁର୍ଘଟଣା କୀର୍ତ୍ତିମାନ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାବ୍ୟସ୍ତ ହୋଇଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଅଭିଭାଷଣରେ କହିଥିଲେ ଯେ ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ ଦିଗରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ପଦକ୍ଷେପଗୁଡ଼ିକ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଅଧିକରୁ ଅଧିକ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରିବାକୁ ସମସ୍ତ ରାଜ୍ୟଙ୍କୁ କୁହାଯାଇଛି । ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଜରିମାନା ରାଶି ପରିମାଣ ବୃଦ୍ଧି କରିଛନ୍ତି । ତଥାପି ଅନେକ ଚାଳକ ଆଇନ ପ୍ରତି ଭୟ ଓ ସମ୍ମାନ ପ୍ରଦର୍ଶନ କରୁନାହାନ୍ତି । ସେମାନଙ୍କୁ ଧରିବାକୁ ସ୍ୱୟଂକ୍ରିୟ ବ୍ୟବସ୍ଥାଗୁଡ଼ିକ ଲାଗୁ କରାଯାଉଛି । ସେହିଭଳି ରାସ୍ତାର ଇଞ୍ଜିନିୟରିଂ ଠିକ୍ ରଖିବାକୁ ସେ ଗୁରୁତ୍ୱ ଦେଇଥିଲେ । ସଡ଼କ ଦୁର୍ଘଟଣାରେ ଅନେକ ଯୁବକ ପ୍ରାଣ ହରାଉଥିବାବେଳେ ତାହା ରୋକିବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସହ ସମନ୍ୱୟ ରକ୍ଷା କରାଯାଇ ସଚେତନତା ପାଇଁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି ।
ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ଓଡ଼ିଶା ପକ୍ଷରୁ ଯୁଗ୍ମ ପରିବହନ କମିସନର ଶ୍ରୀ ପ୍ରଦୀପ କୁମାର ମହାନ୍ତି ରାଜ୍ୟ ପକ୍ଷରୁ ସଡ଼କ ସୁରକ୍ଷା ଦିଗରେ ନିଆଯାଇଥିବା ଅଭିନବ ଯୋଜନା ସଂପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ । ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଇଏମଏସ), ସ୍ୱୟଂଚାଳିତ ଯାନ ପରୀକ୍ଷଣ ବ୍ୟବସ୍ଥା, ଫିଟନେସ ଯାଞ୍ଚ ପାଇଁ ସ୍ୱୟଂକ୍ରିୟ କେନ୍ଦ୍ର ଏବଂ ‘ସୁବାହକ’ ଯୋଜନା ଉପରେ ସେ ଉଲ୍ଲେଖ କରିଥିଲେ । ଯାନଚାଳକମାନଙ୍କୁ ପ୍ରଶିକ୍ଷିତ କରିବା ସହ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶ ଦିଗରେ ଓଡ଼ିଶା କାର୍ଯ୍ୟ କରୁଛି ବୋଲି ସେ ସୂଚନା ଦେଇଥିଲେ ।
ଏହି ସମ୍ମାନଜନକ ସଫଳତା ହାସଲ ଅବସରରେ ରାଜ୍ୟ ପରିବହନ କମିସନର ଶ୍ରୀ ଅମିତାଭ ଠାକୁର କହିଛନ୍ତି, ବାଣିଜ୍ୟ ଓ ପରିବହନ ବିଭାଗ ତଥା ରାଜ୍ୟ ପରିବହନ ପ୍ରାଧିକରଣ ଦୁର୍ଘଟଣା ହ୍ରାସ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବାବେଳେ ଏହି ସମ୍ମାନ ଆମକୁ ଉତ୍ସାହିତ କରିଛି । ଏହି କନକ୍ଲେଭରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଦେଇଥିବା ପରାମର୍ଶ ଆଧାରରେ ଆମେ ଆହୁରି ଭଲ କାର୍ଯ୍ୟ କରିବାକୁ ଉଦ୍ୟମ ଜାରି ରଖିବୁ ବୋଲି ଶ୍ରୀ ଠାକୁର ଉଲ୍ଲେଖ କରିଛନ୍ତି ।