କୁଜଙ୍ଗ,୧୧/୦୮/୨୦୨୫ (ଓଡ଼ିଶା ସମାଚାର)- ଆଜି ମଧ୍ୟାହ୍ନରେ କୁଜଙ୍ଗ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ପାଟପୁର ରେଳବାଇ କ୍ରସିଂ ନିକଟରେ ଛୁରୀରେ ଆକ୍ରମଣ ହୋଇଛି । ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଉଦ୍ଧାରକରି କୁଜଙ୍ଗ ମେଡିକାଲ ରେ ଭର୍ତ୍ତ କରିଥିଲେ। ତାଙ୍କ ତଣ୍ଟି,ଗାଲ ଓ ହାତରେ ଗଭୀର କ୍ଷତ ହୋଇଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ଜମା ହୋଇ ଅଭିଯୁକ୍ତ ଯୁବକକୁ କାବୁ କରି ତାଙ୍କୁ ଉତ୍ତମମଧ୍ୟମ ଦେଇଥିଲେ। ଯୁବକ ଜଣକ ମଧ୍ୟ ଲୋକମାନଙ୍କ ମାଡ଼ରେ ଆହତ ହୋଇ କୁଜଙ୍ଗ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତର ଦୁଇ ସହଯୋଗୀ କେଉଁଆଡେ ଫେରାର ହୋଇଯାଇଛନ୍ତି ।
ଆହତ ମହିଳା ବାଗୋଇ ପଞ୍ଚାୟତ ଚରଦିଆ ଗ୍ରାମର ପ୍ରଭାତୀ ରାଉତ (୨୮ ବର୍ଷ) । ବ୍ୟାଙ୍କ (କିଓସ୍କ ବ୍ୟାଙ୍କକୁ ଟଙ୍କା ଉଠାଣ କରିବାକୁ ) କାର୍ଯ୍ୟରେ ପାଟପୁର ଆସୁଥିଲେ। ଏହି ସମୟରେ ଅଭିଯୁକ୍ତ ଯୁବକ ଓ ତାର ଦୁଇ ସହଯୋଗୀ ପାଟପୁର ସ୍ଥିତ ରେଲୱେ କ୍ରସିଂ ନିକଟରେ ହଠାତ୍ ଏକ ଧାରୁଆ ଛୁରୀ ବାହାରକରି ମହିଳାଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତ ଯୁବକ ଜଣଙ୍କ ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅଞ୍ଚଳର ରାଜେଶ ବେହେରା (୨୩ ବର୍ଷ)ବୋଲି ଜଣାପଡ଼ିଛି। ଅଭିଯୁକ୍ତର ଦୁଇ ସହଯୋଗୀ ଫେରାର୍ ହୋଇଯାଇଛନ୍ତି। ହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି। କୁଜଙ୍ଗ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି।
