ଭରତପୁର ଫୋରପୋଲ ଛକ – କେନାଲବନ୍ଧ ରାସ୍ତା ଶୋଚନୀୟ – ୨୦ ବର୍ଷ ହେବ ହୋଇନି ମରାମତି

କେନ୍ଦ୍ରାପଡ଼ା, ୨୬/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତର ଭରତପୁର ଫୋରପୋଲଛକ ଠାରୁ ଗୋବରୀ କେନାଲ ବନ୍ଧ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ପ୍ରାୟ ୨୦ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ରାସ୍ତାର ଅବସ୍ଥା ବର୍ତମାନ ଚଳାଚଳ ପାଇଁ ଅତ୍ୟନ୍ତ ଅନୁପଯୁକ୍ତ ହୋଇପଡିଛି । ବଡ ବଡ ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଥିବା ଏହି ରାସ୍ତାରେ ଦୈନିକ ଦୁର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ହେବାରେ ଲାଗିଛି । ୨୦ ବର୍ଷ ମଧ୍ୟରେ ରାସ୍ତା ମରାମତି ହୋଇନାହିଁ । ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସମେତ ଜିଲ୍ଲା ସଦର ମହକୁମାରେ ଥିବା ବିଭିନ୍ନ କାର୍ଯ୍ୟାଳୟକୁ ହଜାର ହଜାର ଲୋକ ଯାତାୟତ କରିଥାନ୍ତି । ରାସ୍ତାଟିକୁ ମରାମତି କିମ୍ବା ନିର୍ମାଣ କରାଯିବା ପାଇଁ ଭରତପୁର ଗ୍ରାମପଂଚାୟତର ସରପଂଚ ନିଳାମ୍ବର ମଲିକ ଓ ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ଦନା ଖଟୁଆଙ୍କୁ ବାରମ୍ବାର ନିବେଦନ ସତ୍ୱେ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଗ୍ରାମବାସୀ ପ୍ରବୋଧ କୁମାର ଦାସ, ଶକ୍ତି ପ୍ରସାଦ ମହାନ୍ତି, ଶିବ ପ୍ରସାଦ ଦାସ, ଗୋପାଳ ଚରଣ ଦାସ, ଶ୍ରୀଚରଣ ବେହେରା, ସୁବୋଧ କୁମାର ଦାସ, କାହ୍ନୁ ଚରଣ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ଏହି ରାସ୍ତାର ମରାମତି କରିବା ପାଇଁ ସେମାନେ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଯାଇଛନ୍ତି । ଏ ନେଇ ଭିନ୍ନ ଭିନ୍ନ ସମୟରେ ଦାୟିତ୍ୱରେ ଥିବା ବିଡିଓଙ୍କୁ ସେମାନେ ଅଭିଯୋଗପତ୍ର ପ୍ରଦାନ କରି ଏହାର ପ୍ରତିକାର ବ୍ୟବସ୍ଥା ପାଇଁ ଦାବି କରିଛନ୍ତି । ହେଲେ ସେମାନଙ୍କ ଅଭିଯୋଗପତ୍ର ନାଲିଫିତା ତଳେ ରହିଯାଇଛି ବୋଲି କ୍ଷୋଭର ସହ ସେମାନେ ପ୍ରକାଶ କରିଛନ୍ତି । ବ୍ଲକ କାର୍ଯ୍ୟାଳୟରୁ ନିରାଶ ହେବା ପରେ ରାସ୍ତାଟିର ତୁରନ୍ତ ମରାମତି କିମ୍ବା ପୁନଃ ନିର୍ମାଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଥିବା ଲୋକେ କହିଛନ୍ତି ।

Leave a Reply

Your email address will not be published. Required fields are marked *