ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୁରେଶଙ୍କ ପରିବାରକୁ ସହାୟତା

ମାହାଙ୍ଗା ୦୬/୧୨/୨୦୨୩ (ଓଡିଶା ସମାଚାର/ ଆଭୟ ଜେନା)-କଟକରୁ ନିଜ ଘର ମାହାଙ୍ଗା ଥାନା ବାଲିପଡ଼ିଆ ଗ୍ରାମକୁ ବାଇକ ଯୋଗେ ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାର ଶୀକାର ହୋଇଥିବା ଏକ ଅସହାୟ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଇଛି । ବାଲିପଡ଼ିଆ ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହେଲପିଙ୍ଗ ହ୍ୟାଣ୍ଡର ଏଭଳି ମହତ କାର୍ୟ୍ୟକୁ ଅନ୍ୟମାନେ ପ୍ରଶଂସା କରିଛନ୍ତି । ଏହି ଅସହାୟ ପରିବାରକୁ ଆନୁଷ୍ଠାନିକ ଏବଂ ବ୍ୟକ୍ତିଗତ ଭାବେ ସହାୟତା ଯୋଗାଇ ଦେଇଥିବା ଯୁବକ ମାନେ ଏବଂ ହେଲପିଙ୍ଗ ହ୍ୟାଣ୍ଡ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ମହତକାର୍ୟ୍ୟ ଅନ୍ୟ ମାନଙ୍କୁ ନିଶ୍ଚୟ ପ୍ରଭାବିତ କରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।
ଗତ ରବିବାର ରାତିରେ ମଙ୍ଗୁଳି ନିକଟରେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୁରେଶ ଜେନାଙ୍କ ପାଇଁ ବାଲିପଡ଼ିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ସୁରେଶ ରାଜମିସ୍ତ୍ରୀ ଭାବେ କାମକରି ପରିବାର ପ୍ରତିପୋଷଣ କରୁଥିଲା । ତା’ଙ୍କ ଅକାଳ ବିୟୋଗରେ ପରିବାର ଲୋକେ ଦୁଃଖ ଓ ଶୋକରେ ଭାଙ୍ଗି ପଡ଼ିଥିବା ବେଳେ, ହେଲପିଙ୍ଗ ହ୍ୟାଣ୍ଡ ନାମକ ଏକ ସାମାଜିକ ଅନୁଷ୍ଠାନ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି । ସେହିପରି ଆମେରିକାରେ ରହୁଥିବା ସୁରେଶଙ୍କ ପିଲାଦିନର ସାଙ୍ଗ ସମ୍ରାଟ ମହାନ୍ତି ଓରଫ ରାଜା ୧୦ ହଜାର ଓ କନିଷ୍କ ମହାନ୍ତି ଓରଫ ରାକା ମଧ୍ୟ ୫ ହଜାର ଟଙ୍କା ବଂଧୁ ପତ୍ନୀଙ୍କ ପାଖକୁ ପଠାଇ ବିପଦ ବେଳେ ଛିଡା ହୋଇଥିବାରୁ ଗ୍ରାମବାସୀ ମାନେ ରାଜା ଓ ରାକାଙ୍କୁ ପ୍ରଶଂସା କରିଛନ୍ତି । ସୁରେଶ ଓରଫ ପାତନ ଜଣେ ପରୋପକାରୀ ସ୍ନେହୀ ମେଳାପୀ ଏବଂ ଉଦାରମନା ଯୁବକ ଭାବେ ସବୁଠି ବେଶ ପରିଚିତ ଥିଲା । ବୁଧବାର ସକାଳେ ସାହାପୁର ପଞ୍ଚାୟତର ଯୁବ ସରପଞ୍ଚ ସାରଦା ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ବାଲିପଡ଼ିଆ ଗ୍ରାମର ବହୁ ମୁରବୀ, ଯୁବକ ଏବଂ ସ୍ବେଛାସେବୀ ମାନେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା ସହିତ ଦିବଂଗତ ସୁରେଶ ଯେନାଙ୍କ ଅମର ଅମୃତ ଆତ୍ମାର ସଦଗତି କାମନା କରିଛନ୍ତି । ହେଲପିଙ୍ଗ ହ୍ୟାଣ୍ଡ ପରିବାର ପକ୍ଷରୁ ଆଶୀଷ କୁମାର ମହାନ୍ତି,ଶଶିଭୂଷଣ ମହାନ୍ତି,ସମରେନ୍ଦ୍ର ମହାନ୍ତି,ଗଜେନ୍ଦ୍ରନାଥ ମହାନ୍ତି,ଅଜିତ ମହାନ୍ତି, କଳିଙ୍ଗ ମହାନ୍ତି,ସ୍ୱାଧୀନ ମହାନ୍ତି,ବିଭୁତି ଭୂଷଣ ମହାନ୍ତି,କାମିନୀକାନ୍ତ ମହାନ୍ତି,ବାବାଜୀ ଚରଣ ଦାସ, ସମରଜିତ ପରିଡା ପ୍ରମୁଖ ମୃତକଙ୍କ ପରିବାର ପାଖରେ ପହଂଚି ସହାୟତା ଯୋଗାଇଦେଇ ଥିବାରୁ ସେମାନଙ୍କ ଏହି ମହତ କାର୍ୟ୍ୟକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *