ଜାତୀୟ ଆଇନ ସେବା ଦିବସ ପାଳିତ

ଜଗତସିଂହପୁର, ୦୯/୧୧/୨୦୨୫ (ଓଡ଼ିଶା ସମାଚାର)-  ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣର ତରଫରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ପତକା ଦେଖାଇ ଏକ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରୁ ବାହାରି ସହର ପରିକ୍ରମା କରିଥିଲା ।

ଏହାପରେ ସଦଭାବନା ସଭାଗୃହରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲା ଜଜ୍ ହର ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନୀଳିମା ପଣ୍ଡା, ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ଓଜଦ୍ଵିତୀ ମହାନ୍ତି, ଉପ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ଧିରେନ୍ଦ୍ରନାଥ ଆଚାର୍ଯ୍ୟ, ମହିଳା ଅଦାଲତ ବିଚାରପତି ସ୍ଵପ୍ନଶ୍ରୀ ନାୟକ, ସବ ଜଜ୍ ରାକେଶ କୁମାର ମୁଦୁଲି, ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା, ଏସ.ଡି.ଯେ.ଏମ୍  ପ୍ରତ୍ୟୁଷ କୁମାର ଚାନ୍ଦ, ମୁନସିଫ ଅନନ୍ୟା ଦାସ, ଯେ.ଏମ.ଏଫ୍.ସି ଅଙ୍କିତ ଦେୱାଙ୍ଗନ, ପରୀକ୍ଷାକାଳୀନ ଅଧିକାରୀ ଶ୍ରୀୟଙ୍କା ଦାଶ, ଆଇନଜୀବୀ, ପାରା ଲିଗାଲ୍ ସ୍ବେଛାସେବୀ, ଆଇ.ସି.ଡି.ଏସ୍ ସୁପରଭାଇଜର, ଗଣ ମାଧ୍ୟମ ପ୍ରତିନିଧି ଏବଂ  ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ ।

ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ପଟ୍ଟନାୟକ ମଧ୍ୟସ୍ଥତା ମାଧ୍ୟମରେ କିପରି ମୋକଦ୍ଦମା ସମାଧାନ ହୋଇପାରିବ ଉଦାହରଣ ମାଧ୍ୟମରେ ସଚେତନ କରିଥିଲେ । ସି.ଜେ.ଏମ୍ ଶ୍ରୀମତୀ ପଣ୍ଡା ଏହି ଦିବସର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇବା ସହ ଆଇନ ସେବା ପ୍ରାଧିକରଣର କାର୍ଯ୍ୟ, ପାରା ଲିଗାଲ୍ ସ୍ବେଛାସେବୀଙ୍କ ଦାଇତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ବକ୍ତା ଭାବେ ସବ ଜଜ୍ ଶ୍ରୀ ମୁଦୁଳି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସମସ୍ତ ମହିଳା, ଶିଶୁ, ତଫସିଲ ଭୁକ୍ତ ଜାତି ଓ ଉପଜାତି, ବିଚାରଧୀନ ବନ୍ଦୀ, ପ୍ରକୃତିକ ବିପର୍ଜୟରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତି, ଏଡ୍ସ ରୋଗୀ, ଏବଂ ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍ ଥିବା ବ୍ୟକ୍ତିମାନେ ନିଶୁଳ୍କ ଆଇନ ସେବା ପାଇପାରିବେ । ସେହିପରି ମହିଳା ଅଦାଲତ ବିଚାରପତି ଶ୍ରୀମତୀ ନାୟକ ମହିଳାଙ୍କ ଉଦିଷ୍ଟ ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ।

ଜେ.ଏମ୍.ଏଫ୍.ସି ଅଙ୍କିତ ଦେୱାଙ୍ଗନ ଓଡ଼ିଆ ପୀଡିତା କ୍ଷତିପୂରଣ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଉପ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ଶ୍ରୀ ଆଚାର୍ଯ୍ୟ ଲୋକ ଅଦାଲତ ଓ ଆଇନ ସେବାର ବିଭିନ୍ନ ଦିଗ ବିଷୟରେ ଅଲୋକପାତ କରିଥିଲେ । ସଚିବ ବିଡିଡି ଚନ୍ଦନା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ମୁନସିଫ ଅନନ୍ୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *