କେନାଲ ବନ୍ଧ -କଚେରୀଡିହ ରାସ୍ତା ବିଛିନ୍ନ ଶହ ଶହ ଲୋକ ହିନସ୍ତା

କେନ୍ଦ୍ରାପଡ଼ା,୧୯/୮/୨୦୨୪ (ଓଡ଼ିଶା ସମାଚାର)-କାକଟ- ଦାନପୁର କେନାଲ ବନ୍ଧ ରାସ୍ତାରୁ ଚକ୍ରୋଡା ଗ୍ରାମପଂଚାୟତର କଚେରିଡିହ ରାସ୍ତାଟି ୧୫ଦିନ ହେବ ବିଛିନ୍ନ ହୋଇପଡିଛି । ଫଳରେ ସେହି ରାସ୍ତାଦେଇ କଚେରିଡିହ ବଟେଶ୍ୱର ମହାଦେବଙ୍କ ମନ୍ଦିରକୁ ଦୈନିକ ଯାଉଥିବା ଶହ ଶହ ଲୋକ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଜଣେ ଚାଷୀ କାହାକୁ କିଛି ନକହି ପ୍ରାୟ ୩ଫୁଟ୍ ଉଚ୍ଚା ଓ ଦେଢ ଫୁଟ୍ ଚଉଡାର ରାସ୍ତାଟିକୁ ହାଣିଦେଇ ସେଠାରେ ଏକ ସୋଠ ବସାଇ ଦେଇଛନ୍ତି । କିନ୍ତୁ ଚାଷୀ ଜଣଙ୍କ ହାଣି ଦେଇଥିବା ସେହି ରାସ୍ତାଟିକୁ ସଠିକ ଭାବରେ ପୋତି ନଥିବାରୁ ସେହି ରାସ୍ତାଦେଇ ଲୋକମାନେ ବଟେଶ୍ୱର ମନ୍ଦିର ଓ ମା’ଭଗବତୀଙ୍କ ମନ୍ଦିର ସମେତ କଚେରିଡିହ ରାଉଳ ସାହିକୁ ଯିବା ଆସିବାରେ ଘୋର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସ୍ଥାନୀୟ ସରପଂଚଙ୍କୁ ଏସମ୍ପର୍କରେ ଅବଗତ କରାଯାଇଥିଲେ ବି ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜଣାପଡିଛି । ରାସ୍ତା ହଣାଯାଇଥିବା ସମ୍ପର୍କରେ ଜାଣିନଥିବା ଲୋକମାନେ ରାତିରେ ସେହି ରାସ୍ତାରେ ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି । ତୁରନ୍ତ ସେହି କଟାଯାଇଥିବା ରାସ୍ତାକୁ ପୋତାଯିବା ପାଇଁ କଚେରିଡିହ ଗ୍ରାମର ଜନସାଧାରଣ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *