ବିଜେଡି ବର୍ଷିୟାନ ନେତା ବୃନ୍ଦାବନ ମିଶ୍ରଙ୍କ ଦେହାନ୍ତ

କେନ୍ଦ୍ରାପଡା, ୧୬/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମପଂଚାୟତର ତମାଳ ଶାସନ ଗ୍ରାମର ବିଜୁ ଜନତା ଦଳର ବର୍ଷିୟାନ ନେତା ବୃନ୍ଦାବନ ମିଶ୍ରଙ୍କର ୯୨ବର୍ଷରେ ଦେହାନ୍ତ ହୋଇଯାଇଛି ।  ସେ ଶ୍ରୀଦଧିବାମନଜୀଉଙ୍କ ପୂଜକ, ଚନ୍ଦନପୁର ଗ୍ରାମପଂଚାୟତର ପୂର୍ବତନ ସରପଂଚ ତଥା ଜଣେ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ଦୁଇ ଝିଅ ଓ ଜ୍ୱାଇଁଙ୍କ ସମେତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ତାଙ୍କର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁତ୍ର ଗୋପାଳ ମିଶ୍ର ମୁଖାଗ୍ନି ଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କର ସେ ରାଜନୈତିକ ପରାମର୍ଶଦାତା ଥିଲେ । ସେ ବହୁ ପଦ, ପଦବୀରେ ଥାଇ ମଧ୍ୟ ଖଣ୍ଡେ ବାସଗୃହ, ରାସନକାର୍ଡ ବା କୌଣସି ସରକାରୀ ସାହାଯ୍ୟ ପ୍ରାପ୍ତ ହୋଇନଥିଲେ । ସେ କହୁଥିଲେ ଶ୍ରୀଦଧିବାମନଜୀଉ ମୋର ସାହାଭରସା ଆଉ କେହି ନୁହେଁ । ଏକ ଭଙ୍ଗା ଦଦରା ଚାଳ ଛପର ଘରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୫ବର୍ଷ ପୂର୍ବରୁ ତାଙ୍କ ପତ୍ନୀଙ୍କର ବିୟୋଗ ହୋଇଯାଇଥିଲା । ସେ ଜଣେ ସ୍ୱାଭିମାନୀ ବ୍ୟକ୍ତିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ବ୍ରାହ୍ମଣ  ମହାସଭା ପକ୍ଷରୁ ଅନୁଆପଡାସ୍ଥିତ ମାତୃ ବାଟିକାରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *