ଅଗ୍ନି ନିରାପତା ପ୍ରଶିକ୍ଷଣ

କଟକ,୦୭/୦୫/୨୦୨୬ (ଓଡ଼ିଶା ସମାଚାର)- ଶ୍ରୀରାମଭଞ୍ଜ ମେଡିକାଲ୍ କଲେଜ ଏଣ୍ଡ୍ ହସ୍ପିଟାଲର (ଏସସିବି) ଟ୍ରମା କେୟାର ସେଂଟର୍ ରେ ଆପାତକାଳୀନ ପରିସ୍ଥିତିରେ ସଚେତନତା ବୃଦ୍ଧି ସହ ରୋଗୀ ନିରାପତାକୁ ସୁନିଶ୍ଚିତ କରିବା ନିମନ୍ତେ ଏକ ଅଗ୍ନି ନିରାପତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ନୋଡାଲ୍ ଅଫିସର ଡା.ଅମିୟ କୁମାର ଗୌଡ଼ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଅଗ୍ନି ନିରାପତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଷ୍ଟେସନ୍ ଅଫିସର ବିଷ୍ଣୁ ଚରଣ ଦାସ, ବିକାଶ କୁମାର ସାହୁ, ସୌମ୍ୟ ରଞ୍ଜନ ସାହୁ, ଲିଡିଂ ଫାୟାର ଫାଇଟର ତ୍ରିଲୋଚନ ଗୋଛି, ଦଳର ସଦସ୍ୟ ସତ୍ୟଜିତ ବରାଳ, ଲିଙ୍ଗରାଜ ସାହୁ, ଦେବେନ୍ଦ୍ର ଧୀର ଓ ଜଗନ୍ନାଥ ସାହୁ ପ୍ରମୁଖ ଯୋଗଦେଇଥିଲେ ।

ଏହି ଅବସରରେ ଅଗ୍ନିକାଣ୍ଡ ପ୍ରତିରୋଧ, ଆପତକାଳୀନ ପ୍ରତିକ୍ରିୟା, ଉଦ୍ଧାର ଓ ସ୍ଥାନାନ୍ତରଣ ପ୍ରକ୍ରିୟା ସହିତ ଅଗ୍ନିନିର୍ବାପକ ଯନ୍ତ୍ରର ସଠିକ୍ ବ୍ୟବହାର ବିଷୟରେ ପ୍ରାୟୋଗିକ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଡାକ୍ତର, ନର୍ସିଂ ଅଫିସର, ପାରାମେଡିକାଲ୍ କର୍ମଚାରୀ, ଟ୍ରେନି ଛାତ୍ରଛାତ୍ରୀ, ସହାୟକ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଆୟୋଜନ କରାଯାଇଥିଲା । ହସ୍ପିଟାଲ୍ କର୍ତୃପକ୍ଷ କହିଥିଲେ ଯେ ଟ୍ରମା କେୟାର ସେଂଟର ପରି ସମ୍ବେଦନଶୀଳ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟମିତ ଅଗ୍ନି ନିରାପତା ପ୍ରଶିକ୍ଷଣ ଅତ୍ୟାବଶ୍ୟକ । ଏହା ଆପତକାଳୀନ ସମୟରେ ତ୍ୱରିତ ପଦକ୍ଷେପ ନେବା ସହ ରୋଗୀ, ସହଯୋଗୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରେ । ଟେକ୍ନିକାଲ୍ ଟିମ୍, ଡୁ୍ୟଟି ସିଏମଓ, ହସ୍ପିଟାଲ୍ ମ୍ୟାନେଜର ଓ ଫାୟାର ଆଲାର୍ମ ବ୍ୟବସ୍ଥା ସହ ସମ୍ପୃକ୍ତ ଟେକ୍ନିକାଲ୍ ଟିମ୍ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *