କେନ୍ଦ୍ରାପଡା, ୧୩/୮/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ଛାତ୍ରଛାତ୍ରୀମାନେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିକଟରେ ଦାବି କରିଛନ୍ତି । ଛାତ୍ରଛାତ୍ରୀମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ହେଉଛି ଜିଲାର ସର୍ବପୁରାତନ ମହାବିଦ୍ୟାଳୟ । ଏହା ୧୯୫୯ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହି ମହାବିଦ୍ୟାଳୟରୁ ଅଧ୍ୟୟନ କରି ବହୁ ଛାତ୍ରଛାତ୍ରୀ ଦେଶ ବିଦେଶରେ ସୁନାମ ଅର୍ଜ୍ଜନ କରିଛନ୍ତି । ଏହି ମହାବିଦ୍ୟାଳୟରେ ଏବେ ୨୫ଶହରୁ ଅଧିକ +୨ ଛାତ୍ରଛାତ୍ରୀ ଓ ୩୫ଶହରୁ ଅଧିକ +୩ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେହିପରି ୧୫ଟି ବିଷୟରେ ପିଜି ପାଠ୍ୟକ୍ରମ ରହିଛି । ଏଥିରେ ୩୫୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁିଛନ୍ତି । ଏହାସହ ବିବିଏ, ବିସିଏ, ବି.ଲାଇବ୍ରେରୀ ଭଳି ସ୍ୱତନ୍ତ୍ର ପାଠ୍ୟକ୍ରମ ରହିଛି । ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା ପାଇଁ ବହୁ ସୁନାମ ଧନ୍ୟ ଅଧ୍ୟାପକ, ଅଧ୍ୟାପିକା ଅଛନ୍ତି । ମହାବିଦ୍ୟାଳୟ ପରିସରରେ ଲାବୋରୋଟୋରୀ, ଜିମନାସିଅମ, ପ୍ରେକ୍ଷାଳୟ, ଛାତ୍ରାବାସ ଓ ଛାତ୍ରୀନିବାସ, ଇନଡୋର ଷ୍ଟାଡିୟମ, ପ୍ରଶାସନିକ ଭବନ ରହିଛି । ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱ ବିଦ୍ୟାଳୟ ଏହା ପରିସରରେ କାର୍ଯ୍ୟ କରୁଛି । ଦୀର୍ଘ ଦିନ ଧରି କେନ୍ଦ୍ରାପଡାର ଜନସାଧାରଣ ଏହାକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ପାଇଁ ୧୯୯୦ମସିହାରୁ ଦାବି କରି ଆସୁଛନ୍ତି । ଏହି ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି । ତେଣୁ ଏହାକୁ ତୁରନ୍ତ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଉ ବୋଲି ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଶୁଭଶ୍ରୀ ଭୁୟାଁ, ଇପସିତା ଜେନା, ଧ୍ରୁତିଲତା ସାମଲ, ଶୁଭମ ସାହୁ, ବାସୁଦେବ ସାହୁ ପ୍ରମୁଖ ଛାତ୍ରଛାତ୍ରୀମାନେ ସାଂସଦଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।