କେନ୍ଦ୍ରାପଡା ଜିଲା ସମନ୍ୱୟ ଓ ପରିଚାଳନା କମିଟି ବୈଠକ

କେନ୍ଦ୍ରାପଡ଼ା, ୧୩/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି(ଦିସା) ବୈଠକ ଜିଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଜିଲାର ଜଳ ଜୀବନ ମିଶନ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ରାଜନଗର ବନଖଣ୍ଡ ଅଧିକାରୀ କେ.ସୁଦର୍ଶନ ଯାଦବ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପ୍ରମୁଖ ଯୋଗଦେଇ ଜିଲ୍ଲାର ଜଳଜୀବନ ମିଶନ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକର କାର୍ଯ୍ୟକାରିତା ଓ କେତେ ପ୍ରତିଶତ ଲକ୍ଷ୍ୟ ହାସଲ ପୁରଣ ହୋଇଛ ସେ ସମ୍ପର୍କରେ ଏହି ବୈଠକରେ ସମୀକ୍ଷା ହୋଇଥିଲା । ଜଳଜୀବନ ମିଶନ ଶତ ପ୍ରତିଶତ ଲକ୍ଷ୍ୟ ପୂରଣ କରିବା କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ରହିଛି । ସମୀକ୍ଷାରୁ ଜଣାଯାଇଛିି ଯେ ଏହି ଯୋଜନାର କାର୍ଯ୍ୟକାରିତା କେନ୍ଦ୍ରାପଡ଼ା ଜିଲାର ୩୯୬ଟି ଗ୍ରାମରେ ଶୂନ ପ୍ରତିଶତ ରହିଛି । ତେଣୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟକାରୀ ହୋଇଥିବା ପାଇପ ମାଧ୍ୟମରେ ପାନୀୟଜଳ ଯୋଗାଣ ପ୍ରକଳ୍ପଗୁଡିକ ଆସନ୍ତା ମାର୍ଚ୍ଚ ୨୦୨୫ ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଧେଶ ଦେଇଥିଲା । ଶ୍ରୀ ପଣ୍ଡା କହିଥିଲେ ଯେ ୨୦୧୯ ଅଗଷ୍ଟ ୧୫ ତାରିଖରୁ ଜିଲାରେ ପାନୀୟ ଜଳ ଯୋଗାଣ ଯୋଜନା ଆରମ୍ଭ ହୋଇଥିବା ବେଳେ ଜିଲାରେ ୬ଟି ମେଗା ପ୍ରକଳ୍ପ ଚାଲୁ ରହିଛି । ୨୦୦୯ରୁ ୨୦୧୯ ମଧ୍ୟରେ ସାଂସଦ ପାଣ୍ଠିରୁ ଅଧିକ ଖର୍ଚ୍ଚ ହୋଇଛି । ଯେଉଁଠି ପାନୀୟ ଜଳର ଅସୁବିଧା ଅଛି ସେଠାରେ ନଳକୂପ ସ୍ଥାପନ ଏବଂ ଅଚଳ ନଳକୂପକୁ ମରାମତି କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ସମୀକ୍ଷା ସମୟରେ ଜଣାପଡିଥିଲା ଯେ କେନ୍ଦ୍ରାପଡ଼ା ଜିଲାରେ ୩୯୯ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୧୬୩ ଜଣ ନିଯୁକ୍ତି ପାଇଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଳୟରେ ମାତୃ ଯତ୍ନ କେନ୍ଦ୍ରର ମରାମତି ପାଇଁ ଜଣେ ପ୍ରତିନିଧି ବୈଠକରେ ଦାବି ଉପସ୍ଥାପନ କରିଥିଲେ । ପଟ୍ଟାମୁଣ୍ଡାଇରେ ରକ୍ତ ବ୍ୟାଙ୍କ ଖୋଲିବା, ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରିବା, ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଷ୍ଠୀ ଶୌଚାଳୟ କରିବା ସହ ଏହାର ରାସ୍ତାକୁ ଆଲୋକୀକରଣ କରିବା ପାଇଁ କେତେ ଜଣ ପ୍ରତିନିଧି ଦାବି ଉପସ୍ଥାପନ କରିଥିଲେ । ଆସନ୍ତା ଦିସା ବୈଠକରେ କୃଷି ଓ ଶିକ୍ଷା ଉପରେ ସମୀକ୍ଷା କରାଯିବ ବୋଲି ସ୍ଥିର କରାଯାଇଛି । ବୈଠକରେ ଜିଲାର ସମସ୍ତ ବିଡିଓ, ବ୍ଲକ ଅଧ୍ୟକ୍ଷ, ସରପଂଚ, ବିଭିନ୍ନ ବିଭାଗର ଅଧିକାରୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲା ଶିକ୍ଷାଧିକାରୀ, ଜିଲା କୃଷି ଅଧିକାରୀ, ଜିଲା ମୁଖ୍ୟ ପଶୁ ଚିକିତ୍ସାଧିକାରୀ, ମୃତିକା ସଂରକ୍ଷଣ ଅଧିକାରୀ, ଜିଲା କ୍ରୀଡ଼ା ଅଧିକାରୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲା ମଙ୍ଗଳ ଅଧିକାରୀ, ଜିଲା ପର୍ଯ୍ୟଟନ ଅଧିକାରୀ, ଉଦ୍ୟାନକୃଷି ଅଧିକାରୀ, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ଆରମ୍ଭରେ ଜିଲାପାଳ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତି ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଆଳି ବିଧାୟକ ପ୍ରତାପ କେଶରୀ ଦେବ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ପ୍ରମୁଖ ଅନୁପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *