ଜଗତସିଂହପୁର, ୧୩/୮/୨୦୨୪ (ଓଡ଼ିଶା ସମାଚାର)- ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର ଙ୍କ ଦ୍ଵାରା ବିଶ୍ଵ ଅଙ୍ଗଦାନ ଦିବସ ଏବଂ ସୂରଜ ପୁରସ୍କାର ଦିବସ ପାଳନ କରାଯାଇଛି। ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, ଶ୍ରୀ ମୁକେଶ ମହାଲିଙ୍ଗ ଆଭାସୀ ମାଧ୍ୟମରେ ଯୋଡି ହୋଇ ରାଜ୍ୟର ଖୋର୍ଦ୍ଧା,ବାଲେଶ୍ବର, କେନ୍ଦୁଝର, ଗଞ୍ଜାମ, କେନ୍ଦ୍ରାପଡା ଓ ଜଗତସିଂହପୁର ର ଅଙ୍ଗଦାତା ମାନଙ୍କ ପରିବାର କୁ ସେମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ କୃତଜ୍ଞତା ଜଣାଇଥିଲେ। ଗଞ୍ଜାମ ଜିଲ୍ଲା ର ସ୍ଵର୍ଗତ ସୂରଜ ଙ୍କ ବ୍ରେନ ଡେଡ୍ ହେବାପରେ ତାଙ୍କ ପରିବାର ତାଙ୍କର ଅଙ୍ଗଦାନ କରି ୬ ଜଣଙ୍କର ଜୀବନ ବଞ୍ଚାଇ ପାରିଥିବାରୁ ୨୦୨୦ ରୁ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖ ବିଶ୍ଵ ଅଙ୍ଗଦାନ ଦିବସ ରେ ରାଜ୍ୟ ସରକାରଙ୍କ ତରଫରୁ ସୂରଜ ପୁରସ୍କାର ପ୍ରଦାନ କରାଯାଉଛି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଅଙ୍ଗଦାନ ମନୁଷ୍ୟ ର ସର୍ବୋତ୍ତମ ଦାନ ଯାହା ମୃତ୍ୟୁ ପରେ ମଧ୍ୟ ଅନ୍ୟକୁ ଜୀବନ ଦାନ କରିଥାଏ ବୋଲି କହିଥିଲେ। ଏହି ଅବସରରେ ଜଗତସିଂହପୁର ଜିଲ୍ଲା ର ଅଙ୍ଗଦାତା ସ୍ଵର୍ଗତଃ ବିରେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ପତ୍ନୀ ଶ୍ରୀମତୀ ଅନୁପମା ସ୍ଵାଇଁ ଙ୍କୁ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ(ଭା.ପ୍ର.ସେ) ୫ ଲକ୍ଷ ଟଙ୍କା ର ଚେକ୍ ପୁରସ୍କାର ଦେଇ ସମ୍ମାନିତ କରିଥିଲେ। ସ୍ଵର୍ଗତ ସ୍ୱାଇଁ ଙ୍କ ପୁତ୍ର ଶ୍ରୀ ଶୁଭାଶିଷ ସ୍ଵାଇଁ ନିଜର ଭାବପୂର୍ଣ୍ଣ ଅଭିବ୍ୟକ୍ତି ରେ ମାନବୀୟ ମୁଲ୍ୟବୋଧ କୁ ପ୍ରକାଶ କରି କହିଲେ ଯେ, ପିତା ଙ୍କ ମୃତ୍ୟୁ ଯଦିଓ ତାଙ୍କୁ ଦୁଃଖ ଦେଇଛି, କିନ୍ତୁ ଅଙ୍ଗଦାନ ଯୋଗୁ ତାଙ୍କ ର ପିତା ଆଜି ଆଉ କାହା ପାଖରେ ଜୀବିତ ଅଛନ୍ତି, ତାହା ତାଙ୍କୁ ଆତ୍ମସନ୍ତୋଷ ଦେଇଛି। ଶେଷରେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ସ୍ଵାସ୍ଥ୍ୟ ବିଭାଗ, ଜିଲ୍ଲାପାଳ ଏବଂ ଡାକ୍ତର ଟିମ୍ କୁ କୃତଜ୍ଞତା ଜଣାଇଥିଲେ।