ବେଶ ଉତ୍ସାହର ସହ ହରିହର ଭେଟ: ଆଜିଠାରୁ ରାମଚରିତ ନବାହ୍ନ ପାରାୟଣ

ନିରାକାରପୁର, ୧୪/୧୧/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲା ନିରାକାରପୁରସ୍ଥିତ ରାମଦୟା ପରିଷଦର ୪୧ତମ ବାର୍ଷିକ ଅଧିବେଶନ ଆନୁକୁଲ୍ୟରେ ୧୪ ତାରିଖରୁ ୨୩ ତାରଖ ପର୍ଯ୍ୟନ୍ତ ହେବାକୁ ଥିବା ରାମଚରିତ ମାନସ ନବାହ୍ନ ପାରାୟଣ ଅବ୍ୟବହିତ ପୂର୍ବରୁ ଆଜି ପ୍ରଭୁ ରାମ,ଲକ୍ଷ୍ମଣ ଓ ସୀତାଙ୍କ ବିଗ୍ରହମାନଙ୍କ ଏକ ସୁସଜ୍ଜିତ ବିମାନରେ ଅବସ୍ଥାନ କରାଇ ହରିହର ଭେଟ କାର୍ଯ୍ୟକ୍ରମ ବେଶ ଉତ୍ସାହର ସହ ଭକ୍ତମାନେ କରିଥିଲେ । ତିନି ବିଗ୍ରହ ପ୍ରତିମାକୁ ବିମାନରେ ବସାଇ ଶହଶହ ଭକ୍ତ ନିରାକାରପୁର ରାମ ମନ୍ଦିର ପରିସରରୁ ବିରାଟ ପଟୁଆରରେ ବଜାର ପରିକ୍ରମା କରାଯାଇଥିଲା । ଏହି ପଟୁଆରରେ ଘୋଡ଼ାନାଚ,ନାଗାନୃତ୍ୟ,ବାଘଭାଲୁ ନୃତ୍ୟ ପରିବେଷଣ କରାଯାଇଥିବାବେଳେ ଘଂଟୁଆଙ୍କ ଘଂଟମାଡ଼, ସଂକୀର୍ତନ ମଣ୍ଡଳୀଙ୍କ ମୃଦଙ୍ଗ,ଝାଞ୍ଜରେ ଚର୍ତୁଦିଗ ପ୍ରକମ୍ପିତ ହେଉଥିଲା । ବିଭିନ୍ନ ଆତସବାଜି ପ୍ରଦର୍ଶନ ବେଶ ଉପଭୋଗ୍ୟ ହୋଇଥିଲା । ପରେ ଗ୍ରାମର ଶେଷଭାଗରେ ଥିବା ପ୍ରଭୁ ବାବା ନୀଳକଣ୍ଠେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ହରିହରଙ୍କ ଭେଟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଆସନ୍ତା କାଲିଠାରୁ ୧୦ ଦିନ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୈନନ୍ଦିନ ହୋମ,ଯଜ୍ଞ, ନାମସଂକୀର୍ତନ,ସୂର୍ଯ୍ୟପୂଜା ଅନୁଷ୍ଠିତ ହେବା ସହ ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ ପ୍ରବଚକମାନଙ୍କ ଦ୍ୱାରା ରାମକଥା ପ୍ରବଚନ ମାଧ୍ୟମରେ ପ୍ରଦାନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଆଜି ରାତିରେ ସ୍ଥାନୀୟ ପୁଷ୍କରଣୀରୁ କଳସରେ ଜଳ ଆଣିବା ପରେ ଘଟ ସ୍ଥାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *