ମାହାଙ୍ଗା,୨୩/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ମାହାଙ୍ଗା ଥାନା ମୂଳବସନ୍ତ ଗ୍ରାମର ଜନୈକା କଲେଜ ଛାତ୍ରୀକୁ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତକୁ ଉଠାଇ ଆଣିଛି ପୋଲିସ ।
ଗତ ୧୯ ତାରିଖ ସକାଳ ସାଢେ ଏଗାର ଟା ସମୟରେ କଲ୍ୟାଣପୁର ଗ୍ରାମ ନିକଟ କେନାଲ ବନ୍ଧ ଉପରେ ୨ ଜଣ ଅଜଣା ବାଇକ ଆରୋହୀ ଜେଏନ କଲେଜକୁ ଯାଉଥିବା ଶୁଭସ୍ମିତା ସାହୁଙ୍କୁ ଏକ ଧାରୁଆ ଛୁରୀ ଦ୍ୱାରା ଆକ୍ରମଣ କରିଥିଲେ । ହେଲେ ସାହସିକତାର ସହିତ ଛାତ୍ରୀ ଜଣକ ସେମାନଙ୍କ ମୁକାବିଲା କରିଥିଲା । ତେବେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ବାଇକ ଧରି ଫେରାର ହୋଇଯାଇଥିଲେ ।
ଆହତ ଛାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅପରାଧୀଙ୍କୁ ଅବିଳମ୍ବେ ଗିରଫ ପାଇଁ ବିଭିନ୍ନ ରାଜନୈତିକ ଦଳ ପୋଲିସ ଉପରେ ଲଗାତର ଚାପ ପକାଇଆସୁଥିଲେ । ୨୪ ଘଂଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଏସପି ଅଫିସ ସମ୍ମୁଖରେ ଧାରଣା ଦେବାକୁ ବିଜେଡ଼ି ପକ୍ଷରୁ ଚେତାବନୀ ଦିଆଯାଇଥିଲା ।
ତେବେ ଗ୍ରାମାଞ୍ଚଳ ଏସପିଙ୍କ ନିର୍ଦ୍ଦେଶ ଏବଂ ସାଲେପୁର ଏସଡିପିଓ ବିରଞ୍ଚି ନାରାୟଣ ପତିଙ୍କ ତତ୍ପରତା ଯୋଗୁ ମାହାଙ୍ଗା ଆଇଆଇସି ତପନ ରାଉତଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ।
ଶେଷରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପତରାଜପୁର ଗାଁ ରୁ ୨ ଜଣ ଅଭିଯୁକ୍ତ ଯୁବକଙ୍କୁ ଧରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ଯୁବକ ସୁନାକର ନାୟକ ଏବଂ ଚନ୍ଦନ ନାୟକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ଛାତ୍ରୀଙ୍କୁ ଆକ୍ରମଣ ବେଳେ ବ୍ୟବହୃତ ଛୁରୀ, ଅଭିଯୁକ୍ତ ଘଟଣା ସ୍ଥଳରେ ଛାଡି ଆସିଥିବା ବଳା ଏବଂ ସେମାନେ ବ୍ୟବହାର କରିଥିବା ଏକ ବାଇକକୁ ମଧ୍ୟ ମାହାଙ୍ଗା ପୋଲିସ ଜବତ କରିଛି ।
ଅଭିଯୁକ୍ତ ଦୁଇ ଯୁବକଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ପରେ ପୀଡିତ ପରିବାର ପକ୍ଷରୁ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଦାବି କରାଯାଇଛି ।
