ଲଗାଣ ବର୍ଷାରେ ହିରିମୂଳ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ, ହଜାରେ ହଜାରେ ହେକ୍ଟର ଚାଷ ଜମି ଜଲମଗ୍ନ

ନିରାକାରପୁର, ୯/୮/୨୦୨୪ (ଓଡ଼ିଶା ସମାଚାର)- ପ୍ରବଳ ବର୍ଷା ଯୋଗୁ ଉପର ମୁଣ୍ଡ ପାଣି ମହାନଦୀରେ ଆସି ଖୋର୍ଦ୍ଧା ବ୍ଲକର ବିଭିନ୍ନ ପଂଚାୟତରେ ପ୍ରବେଶ କରିବା ପରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ଫଳରେ ଓରବରସିଂହ ପଂଚାୟତର ହରିମୂଳ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏହି ପଂଚାୟତର ଡ଼ିହଖୋଳା, ଓରବରସିଂହ,କୃଷ୍ଣପୁର, ଲେଖନପୁର, ରାୟପୁର ନରଣଗଡ଼ ପଂଚାୟତର ମାନପୁର,ଓରମି, ବଳପୁର,ଧବଳପୁର ଓ କୁରୁମପଡ଼ା , ବ୍ରଜମୋହନପୁର ପଂଚାୟତ ଶରଧାପୁର, ଷଢେଇଗଡ଼ ଗ୍ରାମକୁ ପାଣି ଲାଗିଥିବାବେଳେ ହଜାର ହଜାର ହେକ୍ଟର ଚାଷ ଜମି ପାଣି ଘେରରେ ରହିଛି । ମହାନଦୀ ପାଣି ଆସିବା ଫଳରେ ରାଜୁଆ ନଦୀର ଶରଧାପୁର ଠାରୁ ଚଣ୍ଡୀ ବରଗଛ ନଦୀବନ୍ଧ ମୁକୁଳା ପଡ଼ିଥିବାରୁ ଉକ୍ତ ଜଳ ଏହି ଅଂଚରେ ବନ୍ୟା ସୃଷ୍ଟି କରୁଛି । ବନ୍ୟାଜଳ ଚାଷ ଜମିରେ ରହିଥିବାବେଳେ ଆହୁରି ଯଦି ଏହି ପରିସ୍ଥିତ ଲାଗି ରହେ ତେବେ ଧାନ ଫସଲ ପଚି ନଷ୍ଟ ହୋଇ ଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ଏହି ସବୁ ଅଂଚଳ ମଧ୍ୟରେ ହିରିମୂଳ ଗ୍ରାମଟି ବନ୍ୟା ହେଲେ ଅଧିକ ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଗ୍ରାମରେ ୨୯ଟି ପରିବାର ରହୁଥିବାବେଳେ ଲୋକ ସଂଖ୍ୟା ୩୦୦ ହେବ । ବନ୍ୟା ପାଣି ଆସିଲା ମାତ୍ରେ ଏହି ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଛି । ସେଥିପାଇଁ ପ୍ରଶାସନ ଉକ୍ତ ଗ୍ରାମକୁ ଏକ ବୋଟ ଡ଼ଙ୍ଗା ପ୍ରଦାନ କରିବା ସହ ଚାଳକଙ୍କୁ ବି ନିଯୁକ୍ତ ଦେଇଛନ୍ତି । ଆଜି ପାଣି ଧୀରେ ଧୀରେ ବଢୁଥିବାବେଳେ ଆଣ୍ଠୁଏ ଲେଖାଁଏ ପାଣି ଡ଼ିହଖୋଳା – ହିରିମୂଳ ରାସ୍ତାରେ ଚାଲୁଥିବାରୁ ଯାତାୟତ ପାଇଁ ଏକ ବୋଟ ବ୍ୟବସ୍ଥା କରିଥିବା ପଂଚାୟତ ନିର୍ବାହୀ ଅଧିକାରୀ ଅଭିନାଶ ପୃଷ୍ଟି ଜଣାଇଛନ୍ତି । ଆସନ୍ତା କାଲି ପରିସ୍ଥିତକୁ ଦେଖି ଯହା ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ତରଫରୁ ଜଣାପଡ଼ିଛି । ଯଦି ପାଣି ଅଧିକ ଦିନ ରହେ ଦେବେ ଧାନ ଚାଷ କ୍ଷତିଗ୍ରସ୍ତ ହେବ ବୋଲି ସ୍ଥାନୀୟ ଚାଷୀମାନେ ଜଣାଇ ଚିନ୍ତାରେ ଅଛନ୍ତି ବୋଲି କହିଛନ୍ତି । ଅଜି ଘଟଣାସ୍ଥଳକୁ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଧେବ, ଜିଲାପାଳ ଚଂଚଳ ରାଣା, ଉପଜିଲାପାଳ ଦୀପ୍ତରଞ୍ଜନ ସେଠୀ, ବିଡ଼ିଓ କ୍ଷୀରାବ୍ଧି ତନୟା ସାହୁ, ବ୍ଲକ ସହକାରୀ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ନାୟକ, କନିଷ୍ଠ ଯନ୍ତ୍ରୀ ଲୋପାମୁଦ୍ରା ସାମଲ, ସରପଂଚ ସୁଶ୍ରୀ ସାଗରିକା ରାଟସିଂହ ପ୍ରମୁଖ ବୋଟରେ ଯାଇ ହୀରିମୂଳ ରେ ବନ୍ୟ ସ୍ଥିତ ଅନୁଧ୍ୟାନ କରିଛନ୍ତି । ବନ୍ୟାଜଳ ବୃଦ୍ଧି ପାଉଥିବାବେଳେ ପରିସ୍ଥିତିକୁ ଦେଖି ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲାପ୍ରଶାସନ ଠାରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *