୨୦୨୩  ବ୍ୟାଚ୍ ଓଡ଼ିଶା କ୍ୟାଡର ଭାରତୀୟ  ପ୍ରଶାସନିକ ସେବା ଅଧିକାରୀମାନଙ୍କ ସହ   ଉନ୍ନୟନ କମିଶନରଙ୍କ ବୈଠକ

ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଓ ସମୃଦ୍ଧ ଓଡ଼ିଶା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ପରାମର୍ଶ

ଭୁବନେଶ୍ୱର, ୦୩ /୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ରେ ପ୍ରଶିକ୍ଷଣ ନେଉଥିବା ୨୦୨୩ ବ୍ୟାଚ୍  ର ୯ଜଣ ଓଡ଼ିଶା କ୍ୟାଡ଼ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଆଜି ଲୋକସେବା ଭବନରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।

ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ପ୍ରୋବେସନରେ ଥିବା ଏହି ପ୍ରଶାସନିକ ଅଧିକାରୀମାନଙ୍କୁ ରାଜ୍ୟର ବିକାଶ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ତଥା  ସମୃଦ୍ଧ ଓଡ଼ିଶା ଗଠନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଆଲୋଚନା କରିବା ସହ ସେମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । ଏହି ଅବସରରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଏହା ଅଧିନସ୍ଥ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର କାର୍ଯ୍ୟ ସଂପର୍କରେ ଅବଗତ କରାଯାଇଥିଲା।

          ପ୍ରଶିକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ପରାମର୍ଶ ଦେଇ ଉନ୍ନୟନ କମିଶନର କହିଥିଲେ ଯେ, ପ୍ରଶିକ୍ଷଣ ପରେ ସେମାନେ ବିଭିନ୍ନ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ ଭାବେ ଯୋଗ ଦେବାକୁ ଯାଉଛନ୍ତି। ସେମାନେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଏହି ବିଭାଗ ଅନ୍ତର୍ଗତ ଅର୍ଥନୀତି ଓ  ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତରଫରୁ କରାଯାଉଥିବା ବିଭିନ୍ନ ପରିସଂଖ୍ୟାନର ଗୁରୁତ୍ୱ ସଂପର୍କରେ ଜାଣିବାର ଆବଶ୍ୟକତା ରହିଛି । ଯୋଜନା ଓ ସଂଯୋଜନ ବିଭାଗ ରାଜ୍ୟର ବିକାଶୋନ୍ମୁଖୀ ପରିବର୍ତ୍ତନଶୀଳ ପଦକ୍ଷେପ ନେଇ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରଖି ବିଭିନ୍ନ କାର୍ଯ୍ୟକ୍ରମକୁ  ତ୍ୱରାନ୍ୱିତ କରିବାରେ ପ୍ରମୁଖ ଭୂମିକା ନିର୍ବାହକରୁଛି।

ରାଜ୍ୟର ଚିହ୍ନଟ ହୋଇଥିବା ୧୦ଟି ଆକାଂକ୍ଷୀ ଜିଲ୍ଲା ଓ ୨୯ଆକାଂକ୍ଷୀ ବ୍ଲକର ବିକାଶ ପ୍ରତି ଆଲୋକ ପାତ କରି ଯେଉଁ ପ୍ରଶାସନିକ ଅଧିକାରୀମାନେ ସଂମ୍ପୃକ୍ତ ଜିଲ୍ଲାରେ  କାମ କରିବାକୁ ଯାଉଛନ୍ତି, ତାହାର ପ୍ରଗତିକୁ ନିୟମିତ ଦୃଷ୍ଟି ଦେବେ ବୋଲି ସେ ପରାମର୍ଶ ଦେଇଥିଲେ । ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ରହୁଥିବା  ଗୁରୁତ୍ୱପୂର୍ଣ୍ଣ ଦିଗ ଗୁଡ଼ିକୁ ଭଲଭାବେ ବୁଝିବାକୁ ସେ ପରାମର୍ଶ ଦେଇଥିଲେ। ଆଇଏଏସ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉନ୍ନୟନ କମିଶନର ସେମାନଙ୍କର ଆଗାମୀ ଭବିଷ୍ୟତର ସଫଳତା କାମନା କରି ଉତ୍ସାହିତ କରିଥିଲେ।

          ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡଃ.ବିଜୟ ଭୂଷଣ ନନ୍ଦ ବିକାଶ କ୍ଷେତ୍ରରେ ପରିସଂଖ୍ୟାନର ଗୁରୁତ୍ୱ ସଂପର୍କରେ ଉପସ୍ଥାପନ କରି କରିଥିଲେ ଯେ, ପରିସଂଖ୍ୟାନ ବ୍ୟବସ୍ଥାରେ ଓଡ଼ିଶାର ସ୍ଥିତି   ଉଲ୍କେଖନୀୟ ରହିଛି । ମାନ୍ୟବର ପ୍ରଧାନମନ୍ତ୍ରୀ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ପାଇଁ ତଥ୍ୟ ବା ଡାଟା ଉପଲବ୍ଧତା  ପ୍ରତି ଗୁରୁତ୍ୱ ଦେଉଥିବାବେଳେ ପରିସଂଖ୍ୟନ ନିର୍ଦ୍ଦେଶାଳୟ ପକ୍ଷରୁ କୃଷି, ସାମାଜିକ-ଅର୍ଥନୈତିକ, ଶିଳ୍ପ,ମୂଲ୍ୟ ପରିସଂଖ୍ୟାନ ଆଦି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ପ୍ରସ୍ତୁତ କରାଯାଇ ବିଭିନ୍ନ ବିଭାଗର କାର୍ଯ୍ୟନିମନ୍ତେ ତଥ୍ୟ ଉପଲବ୍ଧ କରାଯାଉଥିବା ସେ ପ୍ରଶିକ୍ଷାର୍ଥୀମାନଙ୍କୁ ଅବଗତ କରିଥିଲେ ।

          ପ୍ରଶିକ୍ଷାର୍ଥୀମାନଙ୍କୁ ଓଡ଼ିଶା ଅର୍ଥନୈତିକ ସର୍ଭେ ବିବରଣୀ-୨୦୨୪-୨୫ ର ପ୍ରମୁଖ ଦିଗ ଗୁଡ଼ିକ  ଦର୍ଶାଯାଇଥିଲା, ଯାହାକୁ ଦୃଷ୍ଟି ଦେଇ ରାଜ୍ୟର ବିକାଶ ପାଇଁ ସେମାନେ ନିଜକୁ ପ୍ରସ୍ତୁତ କରିପାରିବେ । ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତରଫରୁ ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧି କାର୍ଯ୍ୟକ୍ରମ( ଓଡ଼ିଶା ଷ୍ଟେଟ୍ କାପାବିଲିଟି ଆଣ୍ଡ ରେଜିଲିଏଣ୍ଟ ଗ୍ରୋଥ୍ ପ୍ରୋଗ୍ରାମ) ଭଳି ବିଭିନ୍ନ ବିଭାଗର ତଥ୍ୟକୁ  ସମନ୍ୱିତ କରି ପରିସଂଖ୍ୟାନ କାର୍ଯ୍ୟକ୍ରମ ଜାରିରହିଛି, ଯାହାସ୍ୱଚ୍ଛତା ଓ ଦୃଢ଼ତାର ସହ ବିଭାଗୀୟ ବିକାଶମୂଳକ କାର୍ଯ୍ୟକୁ ଆଗକୁ ନେବାରେ ଅଧିକ ସହାୟକ ହୋଇପାରିବ  ବୋଲି ସେ କହିଥିଲେ।

          ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଟି.ଆଓ, ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଗୋପବନ୍ଧୁ ଏକାଡେମୀର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ମନିଷ ଅଗ୍ରୱାଲ, ବିଭାଗର ଅତିରିକ୍ତ ଶାସନ ସଚିବ ୟେଦ୍ଦୁଲା ବିଜୟଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତଥିଲେ।

-0-

ପଠାଣିରାଉତ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *