ଜଗତସିଂହପୁର, ୦୭/୧୨/୨୦୨୪ (ଓଡ଼ିଶା ସମାଚାର)-କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ପରିସରରେ ଗ୍ରାମୀଣ ଯୁବକ ଓ ଯୁବତୀ ମାନଙ୍କ ନିମନ୍ତେ ଅମଳ ପରବର୍ତ୍ତୀ ପରିଚାଳନା ଓ ପକ୍ରୀୟାକରଣ ଉପରେ ଏକ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୃଷି ଓ ବୈଷୟିକ ମହାବିଦ୍ୟାଳୟ, ଓୟୁଏଟି, ଭୁବନେଶ୍ୱର ତରଫରୁ ପ୍ରଥମ ଦିନ ପ୍ରଫେସର୍ ଉମା ଶଙ୍କର ପାଲ ଯୋଗଦେଇ ଅମଳ ପରବର୍ତ୍ତୀ ଫସଲର ଯତ୍ନ ଓ ବିଭିନ୍ନ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତି ନିମନ୍ତେ ଆଲୋଚନା କରିଥିଲେ । ଦିତୀୟ ଦିନରେ ଓୟୁଏଟି ସ୍ଥିତ ସର୍ବଭାରତୀୟ ସଂଯୋଜିତ ଯନ୍ତ୍ରପାତି ଗବେଷଣା ପ୍ରକଳ୍ପର ମୁଖ୍ୟ ଗବେଷକ ଡ଼ ପ୍ରଦୀପ୍ତ କୁମାର ସାହୁ ଯୋଗଦେଇ ଓୟୁଏଟି ଦ୍ଵାରା ନିର୍ମିତ ମାଣ୍ଡିଆ ଅମଳ ଓ ସଫା କରିବା ଯନ୍ତ୍ରର ବ୍ୟବାହର ଉପରେ ଯୁବ ଚାଷୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଯନ୍ତ୍ରଟି ଏକ ଅଶ୍ଵ ଶକ୍ତି କ୍ଷମତା ସମ୍ପନ୍ନ ଇଲେକ୍ଟ୍ରି ମୋଟର ସାହାଯ୍ୟରେ ଚାଲିଥାଏ । ଏହି ଯାନ୍ତ୍ର ଦ୍ଵାରା ଘଣ୍ଟା ପ୍ରତି ୮୦-୯୦ କିଗ୍ରା ମାଣ୍ଡିଆ ଅମଳ କରାଯାଇ ପାରେ। ଏହାର ମୂଲ୍ୟ ଏକ ବର୍ଷ ୱାରେଣ୍ଟି ସହ ୮୯,୦୦୦ ଟଙ୍କା ଓ ତିନି ବର୍ଷ ୱାରେଣ୍ଟି ସହ ୧,୧୨,୮୦୦ ଟଙ୍କା ରହିଛି । ଓଡ଼ିଶା ସରକାରଙ୍କ ତରଫରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ନିମନ୍ତେ ଏହି ଯନ୍ତ୍ର ଉପରେ ଶତକଡା ୭୫% ଭାଗ ରିହାତି ଓ ଅନ୍ୟାନ୍ୟ ବର୍ଗ ନିମନ୍ତେ ୫୦% ରିହାତି ବ୍ୟବସ୍ଥା ରହିଛି । ଏହି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମଟିକୁ କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର କୃଷି ଯନ୍ତ୍ରପାତି ବୈଜ୍ଞାନିକ ଡ଼ ଦ୍ବାରିକା ମୋହନ ଦାସ ପରିଚାଳନା କରିଥିଲେ ଓ ମାଣ୍ଡିଆ ଅମଳ ଯନ୍ତ୍ର ଚଳାଇ ଉପସ୍ଥିତ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ବଶିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ ଜୀବନଜିତ୍ ସେନ୍ ଯୋଗଦେଇ ଅମଳ ପରବର୍ତ୍ତୀ ବିଭିନ୍ନ ଯନ୍ତ୍ରପାତିର ବ୍ୟବହାର ଓ ପ୍ରକ୍ରିୟାକାରଣ ଦ୍ଵାରା ଯୁବକ ଚାଷୀ ଭାଇ ଓ ଭଉଣୀ ମାନେ ଲାଭବାନ ହୋଇପାରିବେ ବୋଲି ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଜ୍ଞାନ ବୈଜ୍ଞାନିକ ଶ୍ରୀମତୀ ସସ୍ମିତା ପୁରୋହିତ, ଫାର୍ମ ମ୍ୟାନେଜର ରବୀନ୍ଦ୍ର ପ୍ରଧାନ, ଡ଼ ବିଛିନ୍ନା ମୈତ୍ରି ରାଉତ, ଶ୍ରୀମତୀ ସରିତା ଦାସ, ବିଜୟିନୀ ସାହୁ ପ୍ରମୁଖ ସହଯୋଗ କରିଥିଲେ । ବେଠାନି ସାମାଜିକ ଅନୁଷ୍ଠାନ, ପାରାଦୀପ ତରଫରୁ ବିଭିନ୍ନ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।