ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସାକ୍ଷାତ କଲେ ପଦ୍ମବିଭୂଷଣ ସୁଦର୍ଶନ ସାହୁ

                                                       ‘ପଥର କାରିଗର ମାନଙ୍କୁ କଞ୍ଚାମାଲ ଯୋଗାଇ ଦିଆଯିବ’

ଭୁବନେଶ୍ୱର,୦୧/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟର ପଥର କାରିଗରମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଞ୍ଚାମାଲ ଯୋଗାଇଦେବା ସକାଶେ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ । ପଥର ଶିଳ୍ପୀମାନଙ୍କ ପାଇଁ ‘ଓଡ଼ିଶା ଆର୍ଟିସାନ୍‌ ଗ୍ରେଡ୍‌ ଷ୍ଟୋନ ପଲିସି-୨୦୨୧’ ପ୍ରଣୟନ କ୍ରମେ ବିଭିନ୍ନ ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣିମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି । ଆଜି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଭାସ୍କର ପଦ୍ମବିଭୂଷଣ ଶିଳ୍ପୀଗୁରୁ ସୁଦର୍ଶନ ସାହୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟର ଶିଳ୍ପୀ ଓ କାରିଗରମାନଙ୍କୁ ଉପଯୁକ୍ତ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଥିବାବେଳେ ମନ୍ତ୍ରୀ ଶ୍ରୀ ଜେନା ଏହା ପ୍ରକାଶ କରିଛନ୍ତି ।

        ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ପଥର ଖୋଦେଇ କାର୍ଯ୍ୟରତ କାରିଗରମାନଙ୍କଠାରୁ ବାର୍ଷିକ ଆବଶ୍ୟକତାର ତଥ୍ୟ ସଂଗ୍ରହ କରାଯିବ ଓ ଏହି କାର୍ଯ୍ୟରେ ନିୟୋଜିତ ଜିଲ୍ଲାୱାରୀ କାରିଗରଙ୍କ ସଂଖ୍ୟା ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରଦାନ କରାଯିବ । କାରିଗରୀ ପଥର ଥିବା ସ୍ଥାନଗୁଡ଼ିକ ଚିହ୍ନଟ କରାଯିବ ଏବଂ ଓର୍‌ସାକ୍‌ ଜରିଆରେ ସେହି ସ୍ଥାନଗୁଡ଼ିକର ଜିଓ ରେଫରେନ୍ସ ମ୍ୟାପ୍‌ ପ୍ରସ୍ତୁତ କରାଯିବ । ପଥର ଶିଳ୍ପୀ ଓ କାରିଗରମାନଙ୍କ କଞ୍ଚାମାଲଜନିତ ସମସ୍ୟା ଦୂର ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।

        ପଦ୍ମବିଭୂଷଣ ଶ୍ରୀ ସାହୁ ଆଲୋଚନା ସମୟରେ ରାଜ୍ୟ ଶିଳ୍ପୀ ମହାସଂଘ ବାବଦରେ ସୂଚନା ଦେବା ସହିତ ପଥର କାରିଗରମାନଙ୍କ ସମସ୍ୟା ନେଇ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

Leave a Reply

Your email address will not be published. Required fields are marked *