ଦ୍ୱିତୀୟ ଦିନରେ ରେଙ୍ଗାଲି ବିସ୍ଥାପିତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ

ପାଳଲହଡା, ୦୩/୧୨/୨୦୨୩ (ଓଡ଼ିଶା ସମାଚାର)- ପାଳଲହଡା ବ୍ଲକ ସହରଗୁରୁଜାଙ୍ଗ ସ୍ଥିତ  ଦ୍ୱିତୀୟ ଚିଲିକା ଠାରେ ଶୁକ୍ରବାର ଠାରୁ ଚାଲିଥିବା ଜଳ ସତ୍ୟାଗ୍ରହ ଦ୍ୱିତୀୟ ଦିନରେ ପହଞ୍ଚିଛି। ଆଜକୁ 5 ଦଶନ୍ଧି ବିତିଯାଇଥିଲେ ମଧ୍ୟ ରେଙ୍ଗାଲି ବୁଡି ବିସ୍ଥାପିତ ପ୍ରଜା ମାନେ ଉଚିତ ପ୍ରାପ୍ୟ ମିଳିନଥିବାରୁ ବିସ୍ଥାପିତ ପ୍ରଜା ସଙ୍ଘ ର ଆବାହକ ଡ଼ ସନ୍ତୋଷ କୁମାର ଦେହୁରୀ ଙ୍କ ନେତୃତ୍ୱ ରେ ଶତାଧିକ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜଳ ସତ୍ୟାଗ୍ରହ ଆରମ୍ଭକରାଯାଇଛି। ଏକର ପିଛା ୫୦ ହଜାର ଅନୁକମ୍ପା ମୂଳକ ସହାୟତା,  ବିସ୍ଥାପିତଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ, ରାସନ କାର୍ଡ, ସ୍ବାସ୍ଥ୍ୟବୀମା, ମାଗଣା ବିଦ୍ୟୁତ୍, କର୍ମନିଯୁକ୍ତି , ସମକୋଇ ଚକ୍ରଧର ଡ୍ୟାମ୍ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ଆଦି ଦାବିରେ ଗତ କାଲି ଠାରୁ ଆରମ୍ଭ ହୋଇଥିବା ଜଳ ସତ୍ୟାଗ୍ରହ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି। ନିଜର ହକ ଦାବି ପାଇଁ  ରାଜରାସ୍ତାକୁ ଓହ୍ଲାଇବା ସହ ବାସଚ୍ୟୁତ ଙ୍କ ପକ୍ଷ ରୁ ବହୁବାର ରାଲି, ବିକ୍ଷୋଭ, ଗଣଧାରଣା, ଅବରୋଧ, ଆନ୍ଦୋଳନ କରାଗଲା ହେଲେ ଏଯାଏ କେହି  ନ ଶୁଣିବାରୁ ଜଳ ସତ୍ୟାଗ୍ରହ ପାଇଁ ନିଷ୍ପତ୍ତି ନେଇଛି ବିସ୍ଥାପିତ ପ୍ରଜା ସଂଘ।

ଆଜି ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି , ବିଡିଓ ଦିଲ୍ଲୀପ କୁମାର ବାଡା ପହଞ୍ଚି ସମାଧାନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଆନ୍ଦୋଳନ କାରୀ ମାନେ ନିଜ ନିଜ ଜିଦରେ ଅଟଳ ରହିବାରୁ କୌଣସି ସମାଧାନ ର ସୂତ୍ର ବାହାରି ପାରିନାହିଁ । ଯେପର୍ଯ୍ୟନ୍ତ ପ୍ରଜା ସଂଘ ର ୭ଦଫା ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଏହି ଜଳ ସତ୍ୟାଗ୍ରହ ଜାରି ରହିବ ଏବଂ ଆଗାମୀ ଦିନରେ ସରକାର ଜଦି ଆମ କଥା ନ ଶୁଣନ୍ତି ତେବେ ଆମେମାନେ ଜଳ ସମାଧି ନେବୁ ବୋଲି ପ୍ରଜା ସଂଘ ର ଆବାହକ ଡ଼ ସନ୍ତୋଷ କୁମାର ଦେହୁରୀ ପ୍ରକାଶ କରିଥିଲେ। ଏହି ସମ୍ପର୍କରେ ପାଲଲହଡ଼ା ବିଡିଓ ଦିଲୀପ କୁମାର ବାଡା ସହିତ ଯୋଗାଯୋଗ କରିବାରୁ ଆମେ ଉପଜିଲ୍ଲାପାଳ ଙ୍କ ସହିତ ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରିଛୁ ସେମାନେ କିନ୍ତୁ ଆମକୁ କିଛି ଜଣାଇ ନାହାନ୍ତି, ଆମେ ତାଙ୍କ ନିଷ୍ପତ୍ତି କୁ ଅପେକ୍ଷା କରିଛୁ ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *