ଜୁନାଗଡ଼, ୩୧/୭/୨୦୨୪ (ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରର ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ବିଜୁ ପଟ୍ଟନାୟକ ନାମରେ ଏକ ବ୍ୟାଡମିଣ୍ଟନ ଇନଡ଼ୋର ହଲ ତିଆରି କରାଯାଇଛି । ଏହି ଇନଡ଼ୋର ହଲରେ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ପର୍ୟ୍ୟନ୍ତ ସମସ୍ତେ ବ୍ୟାଡମିଣ୍ଟନ ଖେଳି ଥାନ୍ତି । ବର୍ତ୍ତମାନ ଅତ୍ୟଧିକ ବିଜୁଳି ବିଲ ହୋଇଥିବା ବେଳେ ଏହି ଟଙ୍କା ପୈଠ ନ କରିବାରୁ ବିଜୁଳି ବିଭାଗ ବ୍ୟାଡମିଣ୍ଟନ ଇନଡ଼ୋର ର ବିଜୁଳି କାଟି ଦେଇଛନ୍ତି । ବିଜୁଳି କଟିବା ପରେ ଖେଳାଳୀ ମାନେ ଆଉ ଖେଳି ପାରୁନାହାନ୍ତି । ବ୍ୟାଡମିଣ୍ଟନ ଇନଡ଼ୋର ହଲ ସରକାରୀ ନା ବେସରକାରୀ ଏବେ ଖେଳାଳି ମାନେ ମଧ୍ୟ ସନ୍ଦେହରେ ଅଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ୨୦୧୬ରେ ତତ କାଳୀନ ବିଧାୟକ ଙ୍କ ନିର୍ଦ୍ଦେଶରେ ଜୁନାଗଡ଼ ସହର ଠାରେ ଥିବା ରାଜୀବ ଗାନ୍ଧୀ ଖେଳ ପଡ଼ିଆକୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ ନାମରେ ନାମିତ କରି ବିଜୁ ପଟ୍ଟନାୟକ ନାମରେ ଏକ ବ୍ୟାଡମିଣ୍ଟନ ଇନଡ଼ୋର ହଲ ତିଆରି କରାଗଲା । ପରେ ବିନା କାଗଜ ପତ୍ର ରେ ବିଜୁଳି ସଂଯୋଗ କରାଗଲା ଓ ୨୦୨୨ ରେ ବିନା କାଗଜପତ୍ର ରେ ଏକ ମିଟର ମଧ୍ୟ ଶକ୍ତି ମନ୍ତ୍ରୀଙ୍କ ଆଶୀର୍ବାଦ ରେ ବସାଇ ଦିଆଯାଇ ବିଜୁଳି ସଂଯୋଗ କରିଦେଇଥିଲେ । ଆଜିକୁ ଦୁଇବର୍ଷ ହେବ କେହି ମଧ୍ୟ ଏ ଦିଗରେ ଧ୍ୟାନ ଦେଲେ ନାହିଁ । ଫଳରେ ଦିନକୁ ଦିନ ଷ୍ଟାଡିୟମରେ ଲାଗିଥିବା ଫ୍ଲଡ଼ ଲାଇଟ ଓ ଇନଡ଼ୋର ହଲ ରେ ଲାଗିଥିବା ଲାଇଟ ଯୋଗୁଁ ବିଜୁଳି ବିଲ ୬ଲକ୍ଷ ୪୨ ହଜାର ରୁ ଉର୍ଦ୍ଧ୍ବ ଟଙ୍କାକୁ ବୃଦ୍ଧି ହୋଇଥିଲା । ଷ୍ଟାଡିୟମ ଓ ଇନଡ଼ୋର ହଲର କେହି ବାପା ମାଁ କେହି ନ ଥିବା ବେଳେ ବର୍ତ୍ତମାନ ଅଧିକ ଟଙ୍କା ହୋଇଥିବା ଯୋଗୁଁ ବିଜୁଳି ବିଭାଗ ବିଜୁଳି କାଟି ଦେଇଛନ୍ତି । ଆଗରୁ ମଧ୍ୟ ଦେଖାଯାଏ ଯେତେବେଳେ ବିଜେଡି ଶାସକ ଦଳରେ ଥିଲା ସେହି ସମୟରେ ଶାସକ ଦଳର କାର୍ୟ୍ୟକ୍ରମ ପାଇଁ ଏଠି ଅନେକ ବିଦ୍ୟୁତ ଅପଚୟ କରାଯାଇଛି । ବିନା କାରଣରେ ଫ୍ଲଡ଼ ଲାଇଟ ଜଳାଇ ଦିଆଯାଉଥିଲା । ବର୍ତମାନ କେମିତି ଏ ସମସ୍ୟା ର ସମାଧାନ ହୋଇ କେବେ ଖେଳାଳି ଏଠି ଖେଳିବେ ଦେଖିବାକୁ ବାକି ରହିଲା ।
ବିଲ ପୈଠ ନ କରିବାରୁ ବିଜୁ ପଟ୍ଟନାୟକ ଇନଡ଼ୋର ଷ୍ଟାଡିୟମ ର ବିଜୁଳି କଟିଲା
