କଟକ ସଦର, ୩୧/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗତ ରବିବାର ଦିନ ପର୍ଯ୍ୟାୟ କ୍ରମେ ହୀରାକୁଦ ଡ୍ୟାମର ୨୦ ଟି ଗେଟ୍ ଖୋଲା ଯାଇଥିଲା। ହେଲେ ସ୍ଥିତି ନିୟନ୍ତ୍ରଣ ହୋଇଯିବା ପରେ ଏଥରୁ ୨ ଟି ଗେଟ୍ ବନ୍ଦ କରିଦିଆଯାଇଥିବା ଜଣାପଡିଛି। ଏଥିପାଇଁ କଟକ ମୁଣ୍ଡୁଳୀ ଠାରେ ମହାନଦୀର ଜଳସ୍ତର କମିବାରେ ଲାଗୁଛି।ସୂଚନା ଅନୁସାରେ ଗତକାଲି ମଙ୍ଗଳବାର ରାତ୍ର ୧୨ ସମୟରୁ ମୁଣ୍ଡୁଳୀ ଠାରେ ସର୍ବାଧିକ ୪ ଲକ୍ଷ ୮୫ ହଜାର ୪୪୦ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ଆଜି ବୁଧବାର ସକାଳ ୭ ଟା ସମୟରେ ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଏଥିପାଇଁ ଜଳସ୍ତର ମୁଣ୍ଡୁଳିରେ ସ୍ଥିର ରହିଥିବା ଏବଂ ଜଳସ୍ତର ବୃଦ୍ଧିର ସମ୍ଭାବନା କମ୍ ରହିଥିବାରୁ ମଧ୍ୟମ ଧରଣର ବନ୍ୟା ଆଶଂକା ଟଳିଛି। ଅନ୍ୟପକ୍ଷରେ ଗତକାଲି ମଙ୍ଗଳବାର ସକାଳେ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ପଶ୍ଚିମ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶରେ ଆଜିଠାରୁ ବଡ଼ ଵର୍ଷା ହେବାର ସମ୍ଭାବନା ଥିବାରୁ ବନ୍ୟା ଆଶଂକା ସୃଷ୍ଟି ହୋଇଛି। ଏଥିପାଇଁ ୫ ଦିନ ପାଇଁ ୟେଲୋ ୱ।ର୍ଣ୍ଣିଙ୍ଗ୍ ଜାରି ହେବା ସହିତ ସଜାଗ ରହିବାପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ସୂଚନାଯୋଗ୍ୟ ଯେ ମୁଣ୍ଡୁଳୀ ଠାରେ ଆଜି ଅପ୍ ଷ୍ଟ୍ରିମ୍ ରେ ୮୭. ୮୦ ଫୁଟ୍ ଓ ଡାଉନ୍ ଷ୍ଟ୍ରିମ୍ ରେ ୮୪. ୯୦ ଫୁଟ୍ ଜଳସ୍ତର ରହିଛି।