ନିରାକାରପୁର, ୨୯/୭/୨୦୨୪ (ଓଡ଼ିଶା ସମାଚାର)-ଆଜିକୁ ୨୮ ବର୍ଷ ତଳେ ତତ୍ କାଳୀନ କଂଗ୍ରେସ ସରକାର ସମୟରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଛକ ଠାରୁ ଚନ୍ଦନପୁର ଦେଇ ପୁରୀ କୁ ସଂଯୋଗ କରୁଥିବା ୪୦ କିମି ଦୈର୍ଘ୍ୟ ବିଶିଷ୍ଟ ନୂଆ ଜଗନ୍ନାଥ ସଡକର ଶୁଭ ଉଦଘାଟନ ସେତେବେଳର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କରକମଳରେ ହୋଇଥିଲା। ରାଜ୍ୟର ପର୍ଯ୍ୟଟନ ତଥା ଅର୍ଥନୈତିକ ଦୃଷ୍ଟି ରୁ ଏକ ଗୁରୁତ୍ୱପୂର୍ଣ ରାସ୍ତା ରୂପେ ଏହାକୁ ଗୁରୁତ୍ବ ପ୍ରଦାନ କରାଯାଇଥିଲା। ଦେଶ ର ବିଭିନ୍ନ ରାଜ୍ୟରୁ ବିଶେଷ କରି ଦକ୍ଷିଣ ଭାରତ ଏବଂ ପଶ୍ଚିମ ଭାରତ ରୁ ଆସୁଥିବା ପର୍ଯ୍ୟଟକ ଗାଡି ଗୁଡିକ ଏହି ବାଟ ଦେଇକରି ପୁରୀ ଏବଂ କୋଣାର୍କ ଯିବା ପାଇଁ ସହଜ ଓ ସ୍ୱଳ୍ପ ଖର୍ଚ୍ଚରେ ସମ୍ଭବ ହେଉଥିବାରୁ ଏହାକୁ ଜଣ ସାଧାରଣଙ୍କ ସେବାରେ ଉତ୍ସଗୀକୃତ କରାଯାଇଥିଲା। ଦିନ ଥିଲା ଏହି ରାସ୍ତାଟି ପୁରୀ ଯିବା ରାସ୍ତାରେ ଥିବା ଗ୍ରାମବାସୀମାନେ ଅନ୍ୟତ୍ର ଯାତାୟାତ ପାଇଁ ନଦୀ ନାଳରେ ଡଙ୍ଗା ର ଓ ପାଦ ର ସାହାଯ୍ୟ ନେଇ ଚାଲି ଚାଲି ପୁରୀ , କଣାସ, ଖୋର୍ଦ୍ଧା, ଭୁବନେଶ୍ୱର ଯାଇଥିଲେ। ଏହାକୁ ଆଖି ଆଗ ରେ ରଖୁ ପୁରୀକୁ ଅତି କଣ ସମୟରେ ଯିବା ଆସିବା ପାଇଁ ୧୯୯୦ ମସିହାରେ ଶରଣକୁଳ ଠାରୁ ପୁରୀ ପର୍ଯ୍ୟନ୍ତ ବିଭିନ୍ନ ନଦୀ ନାଳ ଉପରେ ବ୍ରିଜ ନିର୍ମାଣ କରି ଉଦଘାଟନ କରାଯାଇଥିଲା। ପରେ ୧୯୯୬ ମସିହା ଜୁଲାଇ ୧୫ ତାରିଖ ରେ ଏହି ରାସ୍ତାର ଉଦଘାଟନ କରାଯାଇ ପୁରୀକୁ ଯାତାୟାତ ସୁବିଧା ଉପଲବ୍ଧ କରାଯାଇଥିଲା। ଏହି ରାସ୍ତା ଟି ପୁରୀ-ଚିଲିକା-ଗୋପାଳପୁର ପର୍ଯ୍ୟଟନ ସର୍କିଟ କୁ ଯୋଡୁ ଥିବାରୁ ଦେଶ ର ପ୍ରାୟ ସମସ୍ତ ରାଜ୍ୟ ର ପର୍ଯ୍ୟଟକ ଗାଡି ଗୁଡିକ ଏହି ବାଟ ଦେଇ ଗମନା ଗମନ କରି ଥିଲେ।ଦିନକୁ ଦିନ ଏହି ରାସ୍ତା ରେ ଗାଡି ମଟର ର ସଂଖ୍ୟା ଅହେତୁକ ବୃଦ୍ଧି ପାଇବାରେ ଲାଗିଛି ।ପୂର୍ତ ବିଭାଗ ଏହି ରାସ୍ତା ଟିର ଉନ୍ନତି ପାଇଁ ବିଭିନ୍ନ ଟେଂଡର ମାଧ୍ୟମ ରେ ଚେଷ୍ଟା କରୁଥିଲେ ମଧ୍ୟ ଏହି ରାସ୍ତା ର ମୁଖ୍ୟ ସମସ୍ୟା ପ୍ରତି କିନ୍ତୁ ଆଖି ବୁଜି ଦେଲା ଭଳି ମନେ ହେଉଛି ।ଏହି ରାସ୍ତା ଟିର ମୁଖ୍ୟ ସମସ୍ୟା ହେଉଛି ଅଙ୍କା ବଙ୍କା ସର୍ପିଳ ଆଉ ସଂକୀର୍ଣ୍ଣ ରାସ୍ତା ବିଭିନ୍ନ ଗ୍ରାମ ମଧ୍ୟ ଦେଇ ଯାଇଛି । ତେଣୁ ଏତେ ସଂଖ୍ୟ ରେ ଗାଡି ଏହି ରାସ୍ତା ଦେଇ ଗଲା ବେଳେ ରାସ୍ତା ଜାମ ହେବା ସହ ଅନେକ ଛୋଟ ବଡ ଦୁର୍ଘଟଣା ଦୈନନ୍ଦିନ ଘଟୁଛି । ସେହିପରି ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ମଝି ଭାଗ ଫାଟି ଆଁ କରି ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ଏବେ ଅଧିକ ଜାମ ଯୋଗୁ ଏହି ରାସ୍ତା ଟିରେ ୩ ଗୋଟି ବାଇପାସ ନିହାତି ଜରୁରୀ ହୋଇ ପଡିଛି ।ସେଇ ଭଳି ଏହି ରାସ୍ତା ଟିକୁ ଜାତୀୟ ରାଜପଥ ହେବ ବୋଲି ଘୋଷଣା କରି ଦେଇ କେନ୍ଦ୍ର ସରକାର ଚୁପ ହୋଇ ବସି ପଡିଛି ।ରାସ୍ତା ଟି ଜାତୀୟ ରାଜପଥ ହୋଇ ପାରିଲେ ଏହାର ବହୁତ ଉନ୍ନତି ହୋଇ ପାରନ୍ତା । ରାସ୍ତା ରେ ବାଇପାସ ହେବ ସହ ରାସ୍ତା ଟି ଚଉଡା ଏବଂ ସିଧା ହୋଇ ପାରନ୍ତା । ଏବେ ଏହି ବାଟ ଦେଇ ଯାଉଥିବା ରାଜ୍ୟ ବାହାର ର ପର୍ଯ୍ୟଟକ ମାନେ ଓଡିଶା ର ସଡକ ପ୍ରତି କି ମତ ଦେଉଥିବେ ତା ନ କହିଲେ ଭଲ । ନିରାକାରପୁର ବଜାରରେ ଥିବା ରେଳ ଫାଟକରେ ଅସମ୍ଭବ ଭିଡ ସମସ୍ତଙ୍କୁ ବିରକ୍ତି କରିବା ସହିତ ଅତି ଜରୁରୀ କାଳୀନ ପରିସ୍ଥିତିରେ ସମସ୍ତଙ୍କୁ ବିପଦ ମୁହଁକୁ ଠେଲି ଦେଉଥିବାରୁ ଏହାର ସମାଧାନ ପାଇଁ ରାସ୍ତା ଟିର ନିରାକାରପୁର ବଜ଼ାର କୁ ବାଇପାସ କରିବା ପାଇଁ ପଦ୍ମପୁର ପେଟ୍ରୋଲ ପମ୍ପ ଠାରୁ ଲେଣ୍ଡୁ ପଂଚାୟତ ର ଗୋପୀନାଥପୁର ପଂଚାୟତ ପର୍ଯ୍ୟନ୍ତ ଏକ ବାଇପାସ , ଦ୍ଵିତୀୟ ଟି ସିଦ୍ଧେଶ୍ୱର ମନ୍ଦିର ଠାରୁ ଚୁପରିଙ୍ଗ ପୂର୍ବ ସାନି ମନ୍ଦିର ପର୍ଯ୍ୟନ୍ତ ଏକ ବାଇପାସ ଏବଂ ତୃତୀୟ ଟି ଭାଇଲପୁର ପାଖରୁ ବାହାରି ସିଧା ମାଳତୀପାଟପୁର ପାଖରେ ଏନଏଚ ୩୧୬ କୁ ସଂଯୋଗ କରିପାରିଲେ ରାସ୍ତା ଟି ସଳଖ , ସୁଗମ ହେଵା ସହ ରାମେଶ୍ୱର ଠାରୁ ପୁରୀ ର ଦୂରତା ପାଖା ପାଖି ୮ ରୁ ୧୦ କିମି କମି ଯିବ ଏହା ସହ ଭବିଷ୍ୟତ ରେ କ୍ୟାପିଟାଲ ରିଜିଅନ ରିଂ ରୋଡ଼ ଦେଇ ଢେଙ୍କାନାଳ , ସମ୍ବଲପୁର , ଅନୁଗୁଳ , ରାଉରକେଲା ପଟୁ ଆସୁଥିବା ଗାଡି ଗୁଡିକ ମଧ୍ୟ ଖୁବ କାମ ସମୟ ରେ ସୁବିଧା ରେ ଏବଂ କାମ ଦୂରତା ଅତିକ୍ରମ କରି ରାମେଶ୍ୱର ଛକ ରୁ ନୂଆ ଜଗନ୍ନାଥ ସଡକ ଦେଇକରି ପୁରୀ ଏବଂ କୋଣାର୍କ ରେ ପହଂଚି ପାରିବେ । ଜଗନ୍ନାଥ ସଡ଼କ କୁ ଜାତୀୟ ରାଜପଥ ମାନ୍ୟତା ଘୋଷଣା ୮ ବର୍ଷ ତଳେ ମନ୍ତ୍ରୀ ନୀତିନ ଗଡକରି କରିଥିଲେ ବି ଅଦ୍ୟାବଧି ଏହାର ଅଗ୍ରଗତି ହେଉନାହିଁ। ପରେ ଏହିି ସଡ଼କ କୁ ଜାତୀୟ ରାଜପଥ ମାନ୍ୟତା ପ୍ରଦାନ ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରବକ୍ତା ସମ୍ବିତ ପାତ୍ର ପ୍ରମୁଖ ପ୍ରତିଶ୍ରୁତି ଦେଇଥିଲେ ବି ପ୍ରତିଶ୍ରୁତି ପାଣିରେ ଗାର ଭଳି ହୋଇଛି। ଜାତୀୟ ରାଜପଥ ଘୋଷଣା ହେଲେ ନିରାକାରପୁର ରେଳ ଫାଟକ ରେ ହେଉ ଥିବା ଅସମ୍ଭବ ଭିଡ କମିଯିବ ଓ ବଜାର ଭଙ୍ଗା ହେବାରୁ ବଞ୍ଚିତ ରହିବ ବୋଲି ଆଶା କରାଯାଉଛି।