ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା

#      ‘ସୁଭଦ୍ରା’ ଯୋଜନା ପାଇଁ ବଜେଟ୍‌ରେ ୧୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ

#      ବଜେଟ୍‌ରେ ନାରୀ ଶକ୍ତିର ବିକାଶ ଉପରେ ଗୁରୁତ୍ୱ: ବଜେଟ୍‌ରେ ହେଲା ତିନିଗୁଣା ବୃଦ୍ଧି

#      ପର୍ଯ୍ୟଟନ କ୍ଷେତ୍ରର ସାମଗି୍ରକ ବିକାଶ ପାଇଁ ୮୦୦ କୋଟି ଟଙ୍କାର ବ୍ୟୟ ଅଟକଳ

ଭୁବନେଶ୍ୱର, ୨୫/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଓଡ଼ିଶା ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ୨୦୨୪- ୨୫ ଆର୍ଥିକ ବର୍ଷ ନିମନ୍ତେ ଉପସ୍ଥାପିତ କରିଥିବା ଏହି ବଜେଟରେ ଓଡ଼ିଶାର ମହିଳା ଓ ଶିଶୁ ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି । ମହିଳା ଓ ଶିଶୁ ବିକାଶ ନିମନ୍ତେ ଚଳିତ ବଜେଟ୍‌ରେ ବ୍ୟୟ ଅଟକଳ ତିନିଗୁଣା ବୃଦ୍ଧି କରାଯାଇଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଛନ୍ତି । ଶ୍ରୀମତୀ ପରିଡ଼ା ବଜେଟକୁ ପ୍ରଶଂସା କରି ଏହା ଏକ ସ୍ୱାଗତଯୋଗ୍ୟ ବଜେଟ୍‌ ବୋଲି ଉଲ୍ଲେଖ କରିଛନ୍ତି ।

        ବଜେଟ ଉପରେ ମତାମତ ରଖି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଚଳିତ ବଜେଟ୍‌ରେ ଓଡ଼ିଆ ଅସ୍ମିତା, ଅନ୍ନଦାତା (କୃଷକ), ନାରୀ ଶକ୍ତି, ସ୍ୱାସ୍ଥ୍ୟସେବା, ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହି ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶକୁ ପ୍ରାଧାନ୍ୟ ଦେଇ ବହୁ ନୂଆ ଯୋଜନାକୁ ଉପସ୍ଥାପନ କରିଛନ୍ତି । ମହିଳା ସଶକ୍ତିକରଣ, ଆର୍ଥିକ ସ୍ୱାଧୀନତା ଓ ଉଦ୍ୟୋଗ ବିକାଶ ନିମନ୍ତେ ‘ସୁଭଦ୍ରା’ ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଚଳିତ ବଜେଟରେ ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ପ୍ରଧାନ ମନ୍ତ୍ରୀ ମାତୃବନ୍ଦନା ଯୋଜନା, ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା, ଯଶୋଦା ଯୋଜନା, ମିଶନ ଶକ୍ତି କାର୍ଯ୍ୟକ୍ରମ, ପୋଷଣ ଅଭିଯାନ ଓ ଅଙ୍ଗନବାଡ଼ି ସେବା ପରି ଲୋକାଭିମୁଖୀ ଯୋଜନାଗୁଡ଼ିକର ଗୁରୁତ୍ୱ ଉପଲବ୍ଧି କରି ଏହାର କାର୍ଯ୍ୟକାରିତା ଓ ସଫଳ ରୂପାୟନ ନିମନ୍ତେ ବଜେଟ୍‌ରେ ପର୍ଯ୍ୟାପ୍ତ ବ୍ୟୟ ଅଟକଳ କରାଯାଇଥିବାରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏହାକୁ ସ୍ୱାଗତ କରିଛନ୍ତି ।

        ପର୍ଯ୍ୟଟନ କ୍ଷେତ୍ରର ସାମଗି୍ରକ ବିକାଶ ଲକ୍ଷ୍ୟ ନେଇ ପର୍ଯ୍ୟଟନ ଆବାସର ବିକାଶର ଓ ପରିଚାଳନା, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା, ପର୍ଯ୍ୟଟନ ସୂଚନା ଓ ପ୍ରସାର ନିମନ୍ତେ ବଜେଟ୍‌ରେ ୮୦୦ କୋଟି ଟଙ୍କାର ବ୍ୟୟ ଅଟକଳକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି । ୨୦୨୪-୨୫ ନିମନ୍ତେ ଉପସ୍ଥାପିତ ବଜେଟକୁ ସ୍ୱାଗତ କରିବା ସହ ଓଡ଼ିଶାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଉନ୍ନତି ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆଶା ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *