ବାଲି ମାଫିଆଙ୍କ ଠାରୁ ଟଙ୍କା ନେବା ମହଙ୍ଗା ପଡିଲା

ଖଣି ଅଧିକାରୀ ରାଜେନ୍ଦ୍ର ଖୁଂଟିଆଙ୍କୁ ନିଲମ୍ବିତ କଲେ ସରକାର
କେନ୍ଦ୍ରାପଡ଼ା, ୨୪/୦୩/୨୦୨୫(ଓଡ଼ିଶା ସମାଚାର)- ବାଲି ମାଫିଆଙ୍କ ଠାରୁ ବାଲିଖାଦାନ ଚଳାଇବା ପାଇଁ ଟଙ୍କା ନେଉଥିବା ଭିଡିଓ ଭାଇରାଲ ହେବା ପରେ ଖଣି ଅଧିକାରୀ ରାଜେନ୍ଦ୍ର ଖୁଂଟିଆଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ କେନ୍ଦ୍ରାପଡା ଖଣି ଅଧିକାରୀ ଶ୍ରୀ ଖୁଂଟିଆଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ପରେ ଶ୍ରୀ ଖୁଂଟିଆଙ୍କ ମୁଖ୍ୟାଳୟ କନ୍ଧମାଳ ଜିଲାର ଫୁଲବାଣୀରେ ଥିବା ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟକୁ ସ୍ଥିର କରାଯାଇଛି । ଖଣି ଉପନିର୍ଦେଶକଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡି ପାରିବେ ନାହିଁ ।

ନିଲମ୍ବନ ଅବଧି ଶେଷ ନହେବା ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବନ ଭତା ପ୍ରଦାନ କରାଯିବ ବୋଲି ନିର୍ଦେଶରେ ଉଲ୍ଲେଖ ରହିଛି । ସୂଚନା ଥାଉକି ଶ୍ରୀ ଖୁଂଟିଆ କେନ୍ଦ୍ରାପଡା ଜିଲାର ବନ୍ଦ ଥିବା ଏକ ବାଲି ଖାଦାନକୁ ଚଳାଇବା ପାଇଁ ଜଣେ ବାଲି ମାଫିଆଙ୍କ ଠାରୁ ୩ଲକ୍ଷ ଟଙ୍କା ଦାବି କରିଥିଲେ । ଏହାସହ ବିଭାଗୀୟ ମନ୍ତ୍ରୀଙ୍କ ପାଇଁ ୧୦ଲକ୍ଷ ଟଙ୍କା ଦାବି କରିଥିଲେ । ମନ୍ତ୍ରୀ ଟଙ୍କା ନେଲେ ଖାଦାନ ଚଳାଇବା ପାଇଁ ଅନୁମତି ଦେବେ ବୋଲି କହିଥିବା ସେ ମାଫିଆଙ୍କୁ କହିଥିଲେ । ମାଫିଆ ଜଣଙ୍କ ପ୍ରଥମ ପର୍ଯ୍ୟାୟରେ ଖଣି ଅଧିକାରୀଙ୍କୁ ୫୦ହଜାର ଟଙ୍କା ଦେଇଥିଲେ । ଏହାର ଭିଡିଓ ଭାଇରାଲ ହୋଇଥିଲା । ଏହାଛଡ଼ା ଜଣେ ଗ୍ୟାଙ୍ଗଷ୍ଟର ଙ୍କ ସହିତ କଥା ବାର୍ତାର ରେକଡ଼ିଂ ମଧ୍ୟ ଭାଇରାଲ ହୋଇଥିଲା । ଫଳରେ ତାଙ୍କୁ ନିଲମ୍ବନ କରାଯାଇଛି ।

ରବିବାର ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୋସିଆଲ୍ ମିଡ଼ିଆ ‘ଏକ୍ସ’ ଜରିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଖଣି ଅଧିକାରୀ ରାଜେନ୍ଦ୍ର ଖୁଂଟିଆଙ୍କ କାର୍ଯ୍ୟ ଉପରେ ସରକାର ତୀକ୍ଷଣ ଦୃଷ୍ଟି ରଖି ଆସିଥିଲେ । ତାଙ୍କ କାର୍ଯ୍ୟଶୈଳୀରେ କୌଣସି ଉନ୍ନତି ପରିଲେକ୍ଷିତ ନହେବା ଯୋଗୁଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏଥି ସହିତ ଅନ୍ୟାନ୍ୟ ମାଇନିଙ୍ଗ ଅଫିସର୍ ମାନଙ୍କ କାର୍ଯ୍ୟଧାରା ଉପରେ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ରାଜ୍ୟ ସରକାର ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ଉପରେ ଗୁରୁତ୍ୱ ଦେଇଛନ୍ତି ।

ସେଥିପାଇଁ କୌଣସି ବିଭାଗରେ କୌଣସି ଅଧିକାରୀ ବା କର୍ମଚାରୀ ଦୁର୍ନୀତିରେ ସମ୍ପୃୃକ୍ତ ପ୍ରମାଣ ରହିଲେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ସେହି କ୍ରମରେ ଖଣି ଅଧିକାରୀ ରାଜେନ୍ଦ୍ର ଖୁଂଟିଆଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *