ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି: ୨ଟି ବ୍ଲକର ୩୬ଟି ଗ୍ରାମ/ୱାର୍ଡ ପ୍ରଭାବିତ

ଯାଜପୁର,୨୬/୦୯/୨୦୨୬ (ଓଡ଼ିଶା ସମାଚାର)-ଲଘୁଚାପ ଓ ଲଗାଣ ବର୍ଷାଜନିତ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ଗତକାଲି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

୨୬ ସେପ୍ଟେମ୍ବର ୨୦୨୬ ପୂର୍ବାହ୍ନ ୧୧ଟା ସୁଦ୍ଧା ଜିଲ୍ଲାର ଦଶରଥପୁର ଓ ବିଞ୍ଝାରପୁର ବ୍ଲକର କେତେକ ଅଞ୍ଚଳ ପ୍ରଭାବିତ ହୋଇଛି। ମୋଟ ୨ଟି ବ୍ଲକ, ୧୨ଟି ଗ୍ରାମ ପଞ୍ଚାୟତ/ୟୁଏଲ୍‌ବି ଏବଂ ୩୬ଟି ଗ୍ରାମ/ୱାର୍ଡ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୬୭,୧୪୪ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଦଶରଥପୁର ବ୍ଲକ ଉପରେ ବିଶେଷ ନଜର ରଖାଯାଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୨ଟି ମେଡିକାଲ୍ ଆସିଷ୍ଟାନ୍ସ ଟିମ୍ ମୁତୟନ କରାଯାଇଥିବା ବେଳେ ୯ଟି ମେଡିକାଲ୍ କ୍ୟାମ୍ପ ଆୟୋଜିତ ହୋଇଛି। ଔଷଧ, ଆଣ୍ଟି-ସ୍ନେକ୍ ଭେନମ୍, ORS ଓ IV ଫ୍ଲୁଇଡ୍‌ର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରାଯାଇଛି।

ବନ୍ୟାରେ ପଶୁସମ୍ପଦ ମଧ୍ୟ ପ୍ରଭାବିତ ହୋଇଛି। ରିପୋର୍ଟ ଅନୁଯାୟୀ, ୧୨,୭୫୪ଟି ପଶୁ ପ୍ରଭାବିତ ହୋଇଥିବା ବେଳେ ୧ଟି ପଶୁ ଚିକିତ୍ସା ଦଳ ମୁତୟନ ଏବଂ ୨ଟି ପଶୁ ଚିକିତ୍ସା ଶିବିର ଆୟୋଜିତ ହୋଇଛି।

କାଣି ନଦୀର ଡାହାଣ ପାର୍ଶ୍ୱ ବନ୍ଧରେ ଡୋଭାବିଲପାଟଣା ଗ୍ରାମ ଏବଂ ତରାପଦା ଗ୍ରାମ ପଞ୍ଚାୟତ ନିକଟସ୍ଥ ଅସ୍ଥାୟୀ ପୁନରୁଦ୍ଧାର ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଏହି ସ୍ଥାନଗୁଡ଼ିକ ଉପରେ ନିରନ୍ତର ନଜର ରଖାଯାଇଥିବା ସହ ଆବଶ୍ୟକ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।

ବର୍ତ୍ତମାନ ସୁଦ୍ଧା କୌଣସି ମାନବୀୟ ମୃତ୍ୟୁ ଘଟିନାହିଁ। ତେବେ ୧୯ ଜଣ ଲୋକ ଜଳବନ୍ଦୀ ଅବସ୍ଥାରେ ଥିବା ରିପୋର୍ଟ ମିଳିଛି। ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍‌ର ୧ଟି ଟିମ୍ ମୁତୟନ କରାଯାଇଛି। ଆବଶ୍ୟକ ସମୟରେ ଅତିରିକ୍ତ ସମ୍ବଳ ମୁତୟନ ପାଇଁ ମଧ୍ୟ ପ୍ରସ୍ତୁତି ରହିଛି।

ଜିଲ୍ଲା ଓ ରାଜ୍ୟସ୍ତରୀୟ ଜରୁରୀକାଳୀନ ଅପରେସନ୍ କେନ୍ଦ୍ର ସହ ସମନ୍ୱୟ ରଖି ଉଦ୍ଧାର, ରିଲିଫ୍, ସୁରକ୍ଷିତ ପାନୀୟଜଳ ଯୋଗାଣ ଓ ଚିକିତ୍ସା ସେବା ଉପରେ ଗୁରୁତ୍ୱ ଦିଆଯାଇଛି। ବନ୍ୟା ପ୍ରଭାବିତ ଓ ଯୋଗାଯୋଗ ବିଚ୍ଛିନ୍ନ ଅଞ୍ଚଳରେ ପହଞ୍ଚିବା, ରନ୍ଧା ଖାଦ୍ୟ ଓ ସୁରକ୍ଷିତ ପାନୀୟଜଳ ଯୋଗାଣ, ଚିକିତ୍ସା ସହାୟତା ଏବଂ ବିଦ୍ୟୁତ୍ ଓ ସଡ଼କ ଯୋଗାଯୋଗର ପୁନଃସ୍ଥାପନକୁ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ଆବଶ୍ୟକତା ଅନୁଯାୟୀ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ବିଡିଓ, ତହସିଲଦାରଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ବନ୍ୟା ପରିସ୍ଥିତିର ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *