ଓଡିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରାପଡ଼ା,୧୨/୦୮/୨୦୨୫(ଓଡ଼ିଶା ସମାଚାର)- ଓଡିଶା କନିଷ୍ଠ ଶିକ୍ଷକ ସଂଘ କେନ୍ଦ୍ରାପଡା ଜିଲା ଶାଖା ପକ୍ଷରୁ କେତେକ ଦାବି ନେଇ ଜିଲାର ପ୍ରାୟ ୮ଶହ ଶିକ୍ଷକ ଗରାପୁର ଶିକ୍ଷକ ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସେଠାରେ ସଂଘର ଜିଲା ସଭାପତି ଉଷାରାଣୀ ଦାସଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଣଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲଳପାଳ ନବକ୍ରିଷ୍ଣ ଜେନାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସଭ୍ୟ ରାଷ୍ଟ୍ରରେ ଶିକ୍ଷାର ଭିତିଭୂମି ହେଲା ପ୍ରାଥମିକ ଶିକ୍ଷା ।

ଏହି ଶିକ୍ଷା ମଣିଷକୁ ଜ୍ଞାନଶୁଦ୍ଧିରେ ସାହାଯ୍ୟ କରିଥାଏ । ଦୁଃଖର ସହ କହିବାକୁ ପଡୁଛି ଯେ ସରକାର ଯଦି ସତରେ ମୃତବତ ପ୍ରାଥମିକ ଶିକ୍ଷାର ପୁନରୁଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି ତେବେ ସେହି ପ୍ରାଥମିକ ଶିକ୍ଷାର ମେରୁଦଣ୍ଡ ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ମର୍ଯ୍ୟାଦାର ମୂଲ୍ୟ ଦେବା ଉଚିତ । ପ୍ରାଥମିକ ଶିକ୍ଷା ଓ ଶିକ୍ଷକମାନଙ୍କ ସୌଭାଗ୍ୟର ସୂର୍ଯେ୍ୟାଦୟକୁ ସରକାରଙ୍କ ଗଣଶିକ୍ଷା ବିଭାଗର ଏକ ପ୍ରତ୍ୟାହାରପତ୍ର ଅମା ଅନ୍ଧାରରେ ଭରି ଦେଇଛି ବୋଲି ସଂଘ ଅଭିଯୋଗ କରିଛି । ରାଜ୍ୟର ସମସ୍ତ ବିଭାଗର କର୍ମଚାରୀ ନିୟମିତ ଥିବା ବେଳେ କେବଳ କନିଷ୍ଠ ଶିକ୍ଷକମାନେ ହିଁ ଯୋଜନାଭିତିକ ପରି ଗୋଟିଏ କୁପ୍ରଥାରେ ସଢୁଛନ୍ତି । ଯାହାକୁକି ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଥିବା ଅଧିକାରୀମାନେ ହୃଦବୋଧ କରିଥିଲେ ।

ସେଥି ପାଇଁ ଶିକ୍ଷା ବିଭାଗରେ ଏକ ଐତିହାସିକ ପରିବର୍ତନ ଆଣିବା ନିମନ୍ତେ କମିଟି ଚଳିତମାସ ୨ତାରିଖରେ ପତ୍ର ସଂଖ୍ୟା- ୨୧୨୬୮ରେ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ(ଯୋଜନାଭିତିକ) ନିୟମିତ କରିବା, ଶିକ୍ଷା ବ୍ୟବସ୍ଥାରେ ଆରମ୍ଭରୁ ନିୟମିତ ନିଯୁକ୍ତି ଦେବା, ୪୪ହଜାର ନୂତନ ଶିକ୍ଷକ ପଦବୀ ସୃଷ୍ଟି କରିବା ସହିତ ପୁରୁଣା ଶିକ୍ଷକମାନଙ୍କର ଚୁକ୍ତିଭିତିକ ସମୟକୁ ଚାକିରୀ ସମୟ ଅବଧି ଭିତରେ ଗଣନା କରିବା ନିମନ୍ତେ ସୁପାରିଶ କରିଥିଲେ । ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ଅନୁମୋଦନ କ୍ରମେ ଗଣଶିକ୍ଷା ବିଭାଗ ଏନେଇ ଏକ ବିଜ୍ଞପ୍ତି ଜାରି କରିଥିଲା । ସରକାରଙ୍କ ଏହି ପଦକ୍ଷେପ କନିଷ୍ଠ ଶିକ୍ଷକମାନଙ୍କ ମନରେ ଏକ ନୂତନ ଆଶା ସଂଚାର କରିଥିଲା । କିନ୍ତୁ ବିଭାଗ ପକ୍ଷରୁ ଚଳିତମାସ ୭ତାରିଖରେ ସେହି ବିଜ୍ଞପ୍ତିକୁ ଉପଯୁକ୍ତ ସ୍ତରରେ ଅନୁମୋଦିତ ହୋଇନଥିବା ଦର୍ଶାଇ ପ୍ରତ୍ୟାହାର କରିନିଆଗଲା । ପ୍ରାଥମିକ ଶିକ୍ଷାର ସୁନେଲି ଭାଗ୍ୟୋଦୟ କରୁଥିବା ଏହି ସୁପାରିଶକୁ ସରକାର ପ୍ରତ୍ୟାହାର କରିନେବା ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ସଂଘ କହିଛି ।

ଏହା ପ୍ରତ୍ୟେକ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀଙ୍କର ସାମ୍ବିଧାନିକ ତଥା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ସଂଘ କହିଛି । ପ୍ରସ୍ତାବଟିକୁ କାର୍ଯ୍ୟକାରୀ କରାଯିବା ପରିବର୍ତେ ପ୍ରତ୍ୟାହାର କରିନେବା କନିଷ୍ଠ ଶିକ୍ଷକମାନଙ୍କ ଭାବାବେଗକୁ କୁଠାରଘାତ କରିଛି ବୋଲି ସଂଘ ଅଭିଯୋଗ କରିିଛି । ଯେଉଁ ସୁପାରିଶ ଦ୍ୱାରା ଓଡିଶାରେ ଧ୍ୱଂସ ପାଇବାକୁ ବସିଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନୂତନ ଦିଗଦର୍ଶନ ମିଳିଥାନ୍ତା ତାହା ପ୍ରତ୍ୟାହୃତ ହୋଇଗଲା । କନିଷ୍ଠ ଶିକ୍ଷକ(ଯୋଜନାଭିତିକ)ମାନଙ୍କୁ ନିୟମିତ କରିବା, ଶିକ୍ଷା ବ୍ୟବସ୍ଥାରେ ଆରମ୍ଭରୁ ନିୟମିତ ନିଯୁକ୍ତି ପ୍ରଦାନ ଓ ନୂତନ ଶିକ୍ଷକ ନିଯୁକ୍ତି କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ ।

ସେହି ସମାନ ସୁପାରିଶକୁ ପୁନଶ୍ଚ ସଂସ୍ଥାପନ କରିବା ପାଇଁ ସଂଘ ଗଣଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିବା ସହ ସେମାନଙ୍କ ଦାବି ଆସନ୍ତା ୧୭ତାରିଖ ସୁଦ୍ଧା ପୁରଣ କରାନଗଲେ ସେମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସଭାପତି ଉଷାରାଣୀ ଦାସ, କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଶେଖର ଦାସ, ସାଧାରଣ ସମ୍ପାଦକ ନବୀନପ୍ରଭାତ ଜେନା, ସହକାରୀ ସମ୍ପାଦକ ଅର୍ଚ୍ଚନା ଘଡାଇ, କୋଷାଧ୍ୟକ୍ଷ ରାଜେଶ କୁମାର ପଣ୍ଡା, ସହକୋଷାଧ୍ୟକ୍ଷ ଶୁଭଶ୍ରୀ ପଟ୍ଟନାୟକ, ଗଣମାଧ୍ୟମ ସଂଯୋଜକ ଜିତେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *