ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କାର୍ଯ୍ୟକ୍ରମ ନେଇ ସମୀକ୍ଷା ବୈଠକ

                                    ଭିନ୍ନକ୍ଷମମାନଙ୍କ ପାଇଁ ପ୍ରଚଳିତ ଥିବା ଯୋଜନାଗୁଡିକୁ ସହଜଲବ୍ଧ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୫/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମାନ୍ୟବର ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଆଜି ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି । ‘ସକ୍ଷମ’ ଅନୁଷ୍ଠାନର ପ୍ରତିନିଧିମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରି ଗ୍ରାମାଞ୍ଚଳରେ ରହୁଥିବା ଭିନ୍ନକ୍ଷମମାନଙ୍କର ବିଭିନ୍ନ ସମସ୍ୟା ଏବଂ ତା’ର ସମାଧାନ ସମ୍ପର୍କରେ ମତାମତ ଉପସ୍ଥାପନ କରିଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠି ବିଭାଗରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ରହିଥିବା ବିଭିନ୍ନ ଯୋଜନାଗୁଡିକ ଉପରେ ବିସ୍ତୃତ ବିବରଣୀ ରଖିଥିଲେ । ବୈଠକରେ ଭିନ୍ନକ୍ଷମମାନଙ୍କ ଉନ୍ନତି ନିମନ୍ତେ ବ୍ଲକ ସ୍ତରରେ ଭିନ୍ନକ୍ଷମ ମିତ୍ରମାନଙ୍କୁ ଚୟନ କରାଯାଇ ଏହାକୁ ଗ୍ରାମ ସହ ସଂଯୋଜନ କରାଯାଇ ଭିନ୍ନକ୍ଷମମାନଙ୍କ ପାଇଁ ପ୍ରଚଳିତ ଥିବା ଯୋଜନାଗୁଡିକୁ ସୁବିଧାରେ ଉପଲବ୍ଧ କାରାଯିବା ନିମନ୍ତେ ପ୍ରସ୍ତାବ ଆଗତ କରାଯାଇଥିଲା । ଭିନ୍ନକ୍ଷମମାନଙ୍କ ନିମନ୍ତେ ଉଚ୍ଚଶିକ୍ଷା ଓ ରୋଜଗାର କ୍ଷେତ୍ରରେ ଆଇନ ଅନୁଯାୟୀ ସଂରକ୍ଷଣ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଭିନ୍ନକ୍ଷମମାନଙ୍କୁ ପରିବହନ କ୍ଷେତ୍ରରେ ସ୍ଥାନ ସଂରକ୍ଷଣର ସୁବିଧା, ଆନ୍ତଃଭିନ୍ନକ୍ଷମ ବିବାହରେ ପ୍ରୋତ୍ସାହନ ରାଶି, ସୁସ୍ଥ କୁଷ୍ଠରୋଗୀଙ୍କ ପ୍ରତି ଅସ୍ପୃଶ୍ୟତା ମନୋଭାବ ଦୂରୀକରଣ, ସୁଗମ୍ୟ ପାର୍କ, ବିନାସୁଧାରେ ଋଣ ପ୍ରଦାନ ଆଦି ସୁବିଧା ଯୋଗାଇଦେବା ପାଇଁ ପଦକ୍ଷେପ ନେବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା । ବୟୋଜ୍ୟେଷ୍ଠମାନଙ୍କ ନିମନ୍ତେ ଗୋଷ୍ଠୀ ଆବାସ କେନ୍ଦ୍ର ଖୋଲିବା ନିମନ୍ତେ ସରକାର ନିକଟ ଭବିଷ୍ୟତରେ ବିଚାର କରିବା ନିମନ୍ତେ ମତପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକା, ବିଭାଗର ଅତିରିକ୍ତ ଶାସନ ସଚିବ ଓ ଉପ ଶାସନ ସଚିବ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *