ନନ୍ଦିଘୋଷ ରଥଙ୍କ ଦକ୍ଷିଣାୟନ ଯାତ୍ରା ସହିତ  ସମାପିତ ହେଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ

#          ଶ୍ରୀଜଗନ୍ନାଥ ସଂସ୍କୃତି-ପରମ୍ପରା-ଚେତନାରେ ଓଡିଆ ଅସ୍ମିତାକୁ ନେଇ  ଆୟୋଜିତ ହୋଇଥିଲା ଫଟୋଚିତ୍ର ପ୍ରଦର୍ଶନୀ

#        ଗତ ଦଶ ଦିନରେ ଲୀଳାମୟଙ୍କ ଲୀଳାକୁ ଫଟୋଚିତ୍ର ମାଧ୍ୟମରେ ଦେଖିଲେ ୧.୨୫ ଲକ୍ଷରୁ ଊଦ୍ଧ୍ୱର୍ ଦର୍ଶକ

#          କେବଳ ଗତ ଦୁଇ ଦିନରେ ପାଦ ପଡିଲା ୪୦ ହଜାରରୁ ଊଦ୍ଧ୍ୱର୍ ଦର୍ଶକଙ୍କର

#          ପ୍ରଦର୍ଶନୀର ପ୍ରତ୍ୟେକ ଅଂଶ ପରିଣତ ହୋଇଥିଲା ସେଲଫି ପଏଣ୍ଟରେ

ପୁରୀ/ ଭୁବନେଶ୍ୱର, ୧୫/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡିଆ ଅସ୍ମିତାର ଉତ୍ସ ଓ ଆଧାର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କ ରଥଯାତ୍ରା ତାଙ୍କ ଦିବ୍ୟଲୀଳାର ଏକ ଅଂଶ ବିଶେଷ । ଏହି ଲୀଳାରେ ଅଛି ଶ୍ରୀଜଗନ୍ନାଥ ସଂସ୍କୃତିର ସାରମର୍ମ । ଏହି ମହାନ ଚିନ୍ତା ଓ ଚେତନା ଆଧାରରେ ଶରଧାବାଲିର ଭୋଳାନାଥ ବିଦ୍ୟାପୀଠରେ ଚାଲିଥିବା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀର ଆଜିଥିଲା ଅନ୍ତିମ ଦିବସ । ଆଜି ଅପରାହ୍ନରେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଶରଧାବାଲିରୁ ଶ୍ରୀମନ୍ଦିର ଉଦ୍ଦେଶ୍ୟରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଙ୍କ ଦକ୍ଷିଣାୟନ ଯାତ୍ରା ସହିତ ସମାପିତ ହୋଇଛି ଚଳିତ ବର୍ଷର ଫଟୋଚିତ୍ର ପ୍ରଦର୍ଶନୀ ।

            ଚଳିତ ବର୍ଷର ପୁରୀ ରଥଯାତ୍ରା ଅବସରରେ ଶରଧାବାଲି ସ୍ଥିତ ଭୋଳାନାଥ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାକୁ ଆସୁଥିବା ଦର୍ଶକମାନଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି-ପରମ୍ପରା-ଚେତନାରେ ଉଦବୁଦ୍ଧ କରିବା ସହିତ ଏଥିରେ ଓଡିଆ ଅସ୍ମିତାର ଛାପକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଏହି ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଗତ ୬ ତାରିଖରେ ଓଡିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହି ପ୍ରଦର୍ଶନୀର ଉଦଘାଟନ କରି ସୂଚନା ଓ ଲୋକସମ୍ପର୍କ ବିଭାଗର ଏହି ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।

            ଏହି ସୁଦୃଶ୍ୟ ପ୍ରଦର୍ଶନୀ ମଣ୍ଡପରେ ସ୍ଥାନିତ ସାତ ଶହ ବର୍ଷ ପୂର୍ବରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀମନ୍ଦିରର ରୂପରେଖ, ପ୍ରାଚୀନ ସମୟରୁ ଗତବର୍ଷର ରଥଯାତ୍ରା ଏବଂ ତତସମ୍ପର୍କିତ ରୀତିନୀତିର ଫଟୋସମୂହ ସମେତ ଚଳିତ ବର୍ଷର ଚନ୍ଦନଯାତ୍ରା ତଥା ରଥଖଳାର ମନୋରମ ଫଟୋ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ସେହିପରି ଶ୍ରୀମନ୍ଦିର ଓ ରଥଯାତ୍ରା ସହିତ ଓତଃପ୍ରୋତଃ ଭାବେ ଜଡିତ ପୁରୀର ମଠସମୂହ ଏବଂ ପବିତ୍ର ପୁଷ୍କରିଣୀ ଓ ମହୋଦଧିର ଫଟୋ ମଧ୍ୟ ଜନସାଧାରଣଙ୍କ ପାଇଁ ଏକ ନୂତନ ଅନୁଭୂତି ପ୍ରଦାନ କରିଥିଲା । ପ୍ରତ୍ୟେକ ପ୍ରଦର୍ଶନ ବୋର୍ଡରେ ଦର୍ଶିତ ଫଟୋଚିତ୍ରଗୁଡିକୁ ଜନମାନସରୁ ବିଲୁପ୍ତପ୍ରାୟ ପୁରାତନ ରଚନାର କବିତା ପଂକ୍ତି ମାଧ୍ୟମରେ ବ୍ୟାଖ୍ୟା କରାଯାଇଥିଲା ।

            ଓଡିଆ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଶ୍ରୀଜଗନ୍ନାଥଙ୍କ ସଂସ୍କୃତ ଶ୍ଳୋକ ଏବଂ ଓଡିଆ ଭକ୍ତି ସଙ୍ଗୀତ ସମେତ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର, ୧୯୩୧ ରୁ ୧୯୬୨ ପର୍ଯ୍ୟନ୍ତ ରଥଯାତ୍ରାର ଭିଡିଓ, ପୂର୍ଣ୍ଣାଙ୍ଗ ଓଡିଆ ଚଳଚ୍ଚିତ୍ର ‘ଶ୍ରୀ ଜଗନ୍ନାଥ’ ଓ ହିନ୍ଦୀ ଚଳଚ୍ଚିତ୍ର ‘ଜୟ ଜଗନ୍ନାଥ’ ଆଦି ଏଲ୍‌ଇଡି ଭିଡିଓ ୱାଲରେ ଅହରହ ପ୍ରଦର୍ଶିତ ହେଉଥିଲା । ଯାହାକୁ ଦର୍ଶକମାନେ ବହୁ ପରିମାଣରେ ଉପଭୋଗ କରୁଥିଲେ । ପ୍ରଦର୍ଶନୀ ମଣ୍ଡପର ବିପରୀତ ପାଶ୍ୱର୍ରେ ରଥଯାତ୍ରା ଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସମସ୍ତ ରୀତିକାନ୍ତିର ସଂକ୍ଷିପ୍ତ ସୂଚନା ପ୍ରଦାନ କରାଯିବା ସହିତ ଭିଡିଓ ୱାଲରେ ମଧ୍ୟ ରଥଯାତ୍ରାକୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ଜରୁରୀ ସୂଚନାଗୁଡିକ ପ୍ରଦର୍ଶିତ ହେଉଥିଲା ।

           ଗୋଟିଏ ଛାତତଳେ ଶ୍ରୀମନ୍ଦିର ଓ ରଥଯାତ୍ରା ସହିତ ଶ୍ରୀଜଗନ୍ନାଥଙ୍କ ପ୍ରମୁଖ ଲୀଳା, ରୀତିନୀତି ଆଦି ସମ୍ପର୍କରେ ଜ୍ଞାନ ଆହରଣ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ଏହି ଫଟୋଚିତ୍ର ପ୍ରଦର୍ଶନୀ ମଣ୍ଡପରେ ପ୍ରତ୍ୟହ ସହସ୍ରାଧିକ ଜନସମାଗମ ହେଉଥିଲା । ଗତ ଦଶ ଦିନରେ ଲୀଳାମୟଙ୍କ ଲୀଳାକୁ ଫଟୋଚିତ୍ର ମାଧ୍ୟମରେ ୧.୨୫ ଲକ୍ଷରୁ ଊଦ୍ଧ୍ୱର୍ ଦର୍ଶକ ଦେଖିଥିବା ବେଳେ ଶନିବାର ଓ ରବିବାର ସରକାରୀ ଛୁଟି ଦିବସ ଥିବାରୁ ଏହି ଦୁଇଦିନ ମଧ୍ୟରେ ପ୍ରଦର୍ଶନୀ ମଣ୍ଡପକୁ ପାଖାପାଖି ୪୦ ହଜାର ଦର୍ଶକ ଆସିଥିଲେ ।

            ପ୍ରଦର୍ଶନୀ ମଣ୍ଡପର ପ୍ରତ୍ୟେକ ଅଂଶ ଗୋଟିଏ ଗୋଟିଏ ସେଲଫି ପଏଣ୍ଟରେ ପରିଣତ ହୋଇଯାଇଥିଲା । ଏଲଇଡି ଭିଡିଓ ୱାଲ ଏବଂ ଫଟୋଚିତ୍ରଗୁଡିକ ନିକଟରେ କେହି କେହି ନିଜ ନିଜର ଫଟୋ ଉଠାଉଥିବାବେଳେ ପ୍ରାୟ ଅଧିକାଂଶ ଲୋକ ନିଜ ପରିବାର ସଦସ୍ୟଙ୍କ ଫଟୋ ଉଠାଉଥିଲେ । ଅନ୍ୟ କେତେକ ଦେଖଣାହାରୀ ଫଟୋଚିତ୍ର ଓ କବିତା ପଂକ୍ତିଗୁଡିକର ଫଟୋ ଉଠାଉଥିବାବେଳେ କିଛି ବୟୋବୃଦ୍ଧ ଦର୍ଶକ କବିତା ପଂକ୍ତିଗୁଡିକ ନିଜ ଟିପା ଖାତାରେ ଲେଖୁଥିବା ଦେଖିବାକୁ ମିଳୁଥିଲା ।

Leave a Reply

Your email address will not be published. Required fields are marked *