ସମବାୟ ବିଭାଗର କର୍ମଶାଳା ଅନୁଷ୍ଠିତ

                     ରାଜ୍ୟର ବିକାଶରେ ଅଂଶୀଦାର ହେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀଶ୍ରୀ ପ୍ରଦୀପ ବଳସାମନ୍ତ

ଭୁବନେଶ୍ୱର, ୪/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାରାଜ୍ୟ ସମବାୟ ବିଭାଗ ତରଫରୁ ଆଜି ପୂର୍ବାହ୍ନରେ କୃଷି ଭବନ ସମ୍ମିଳନୀ କକ୍ଷରେ ଏକକର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷଚାରାରେ ଜଳ ପ୍ରଦାନ ପୂର୍ବକ କର୍ମଶାଳାର ଶୁଭାରମ୍ଭ କରିଥିଲେ । ମନ୍ତ୍ରୀଶ୍ରୀ ବଳସାମନ୍ତ କହିଲେ ଯେ ରାଜ୍ୟ ସରକାର ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ କରିବା ପାଇଁ ସଂକଳ୍ପବଦ୍ଧ । ଏ ଦିଗରେ ସମବାୟ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହକରିବ । ବିଭାଗର ପ୍ରତ୍ୟେକ କର୍ମଚାରୀ ଦଳଗତ ମନୋଭାବ ନେଇ କାର୍ଯ୍ୟକଲେ ରାଜ୍ୟରେ ବିକାଶର ଲକ୍ଷ୍ୟ ସହ ଲୋକମାନଙ୍କର ଆଶା-ଆକାଂକ୍ଷା ପୂରଣ ହୋଇପାରିବ । ଏହି ବିକାଶ ପ୍ରକ୍ରିୟାରେ ଅଂଶୀଦାର ହେବା ପାଇଁ ସେ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ କହିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

          କର୍ମଶାଳାରେ ସମବାୟ ବିଭାଗ ଏବଂ ବିଭାଗ ଅଧିନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଆଗାମୀ ୧୦୦ ଦିନର କାର୍ଯ୍ୟପନ୍ଥା ସହ ଚଳିତ ବର୍ଷଏବଂଆସନ୍ତା ୫ ବର୍ଷର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଶେଷରେ ବିଭାଗର କାର୍ଯ୍ୟକ୍ରମ ଉପରେ ଆସିଥିବା ବିଭିନ୍ନ ମତାମତକୁ ପ୍ରାଧାନ୍ୟ ଦେଇ ଏସବୁର କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା ହୋଇଥିଲା ।

          ବିଭାଗର କମିଶନର ତଥା ଶାସନସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ବିଭାଗର କାର୍ଯ୍ୟକ୍ରମ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ସେ କହିଥିଲେ ଯେ ସମବାୟ ବିଭାଗ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ, ଯାହା କୃଷି ଓ କୃଷକର ଉନ୍ନତି ପାଇଁ କାର୍ଯ୍ୟ କରୁଛି । ଆମେ ଯେତିକି କାର୍ଯ୍ୟ କରୁଛୁ ତା’ଠାରୁ ଆହୁରି ଅଧିକ କାର୍ଯ୍ୟ କରିବା ପାଇଁ ଚେଷ୍ଟାକରିବା । ଆମେ ଯେତେ ଅଧିକ କାର୍ଯ୍ୟ କରିବା ସେତିକି ଅଧିକ ଚାଷୀମାନଙ୍କର ଉନ୍ନତି ହେବଏବଂ ଚାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ସମ୍ଭବପର ହୋଇପାରିବ ।

          କାର୍ଯ୍ୟକ୍ରମରେ ସମବାୟ ବିଭାଗର ସ୍ୱତନ୍ତ୍ର ଶାସନସଚିବ ଶ୍ରୀ ସନ୍ତୋଷ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ସଦସ୍ୟ ସଚିବ ତଥା କୃଷି ବିପଣନ ନର୍ଦ୍ଦେଶକ ଏବଂ ସମବାୟ ମହାସମୀକ୍ଷକ ଶ୍ରୀ ପ୍ରଭୁକଲ୍ୟାଣ ପଟ୍ଟନାୟକ ଯୋଗଦେଇ ସମବାୟ ସମୀକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ମାର୍କଫେଡ୍‌ ର ଏମ୍‌ଡି ଶ୍ରୀ ଲିଙ୍ଗରାଜ ପଣ୍ଡା ସଂସ୍ଥାର କାର୍ଯ୍ୟକ୍ରମ ସଂପର୍କରେ ସମ୍ୟକ ଧାରଣା ଦେଇଥିଲେ । ଓଏସ୍‌ଡବ୍ଲୁ୍ୟସି ର ସିଜିଏମ୍‌ ସୁପ୍ରିୟା ସାହୁ ନିଗମର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ବର୍ଣ୍ଣନା କରିଥିଲେ । ବିଭାଗର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନସଚିବ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

          ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *