ଭରତପୁର କେନାଲବନ୍ଧ ପୋଲରୁ ବାଳିକା ହାଇସ୍କୁଲ ରାସ୍ତା ଖାଲଖମାରେ ଭର୍ତି

କେନ୍ଦ୍ରାପଡ଼ା,୪/୭/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର କେନାଲ ପୋଲ ଠାରୁ ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା କେନାଲବନ୍ଧ ରାସ୍ତାଟି ଖାଲଖମାରେ ପୂର୍ଣ୍ଣ ହୋଇପଡିଛି । ଏଥିସହିତ ବର୍ଷାରେ ସେହି ରାସ୍ତାଟିରେ ଯିବାକୁ ହେଲେ ଆଣ୍ଠୁଏ କାଦୁଅ ଭିତରେ ଦେଇ ଯିବାକୁ ପଡୁଛି । ସେହି ରାସ୍ତା ଦେଇ ଭରତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟକୁ ଦୈନିକ ଶତାଧିକ ଛାତ୍ରଛାତ୍ରୀ ଯିବା ଆସିବା କରୁଥିବା ବେଳେ ଆଖପାଖ ୪/୫ଗ୍ରାମର ପ୍ରାୟ ପାଶହରୁ ଉଦ୍ଧ୍ୱର୍ ଲୋକ ଦୈନିକ ଯାତାୟତ କରିଥାନ୍ତି । ଏହି ରାସ୍ତାଟିକୁ ପକ୍କା ରାସ୍ତାରେ ପରିଣତ କରିବା କିମ୍ବା ମରାମତି କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ କେନ୍ଦ୍ରାପଡା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲା । ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦେଶରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଧରଣୀଧର ବେହେରା ଓ ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ମଲିକ ପ୍ରାୟ ଏକବର୍ଷ ହେବ କ୍ଷେତ୍ର ପରିଦର୍ଶନ କରି ଯାଇଥିଲେବି ଅଦ୍ୟାବଧି ସେହି ରାସ୍ତାର ନିର୍ମାଣ କାର୍ଯ୍ୟ ହୋଇପାରିଲା ନାହିଁ । ଫଳରେ ଦୁଇଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଦୈନିକ ଖାଲଖମା ତଥା ଆଣ୍ଠୁଏ କାଦୁଅ ଭିତର ଦେଇ ବିଦ୍ୟାଳୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଏହି ରାସ୍ତାଟିର ତୁରନ୍ତ ମରାମତି କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଚିରଞ୍ଜନ ଦାସ, ଗୋପାଳ ଚରଣ ଦାସ, ବିରଜା ପ୍ରସାଦ ମହାନ୍ତି, ସୁବୋଧ ଦାସ, ସଞ୍ଜୟ କୁମାର ଦାସ, କାହ୍ନୁ ଚରଣ ବେହେରା, ଶ୍ରୀଚରଣ ବେହେରା ପ୍ରମୁଖ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏସମ୍ପର୍କରେ କେନ୍ଦ୍ରାପଡା ସହକାରୀ ନିର୍ବାହୀ ଯନ୍ତ୍ରୀ ଧରଣୀଧର ବେହେରାଙ୍କୁ ପଚରାଯିବାରେ ସେ କହିଥିଲେ ଯେ ଏହି ରାସ୍ତା ପାଇଁ ଏବେସୁଦ୍ଧା ଅଟ୍ଟକଳ ପ୍ରସ୍ତୁତ କରାଯାଇନାହିଁ । ରାସ୍ତା ପାଇଁ ବ୍ୟସ୍ତ ହେଲେ ହେବନି ଆବଶ୍ୟକ ସରକାରୀ ନୀତି ନିୟମ ଅନୁଯାୟୀ କାର୍ଯ୍ୟ କରାଯିବ ।

Leave a Reply

Your email address will not be published. Required fields are marked *