ଭୁବନେଶ୍ୱର, ୨୬/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ପୂର୍ବାହ୍ନରେ ରାଜ୍ୟ ଲୋକସଭା ଭବନସ୍ଥ କନ୍ଭେନ୍ସନ ହଲ୍ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ନିଶାମୁକ୍ତ ଦିବସ ପାଳିତ ହୋଇଯାଇଛି ।
ଏଥିରେ ରାଜ୍ୟ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦାନ କରି କହିଲେ ଯେ ସମାଜରେ ସଂସ୍କାର ଆଣିବା ଏବଂ ପରିବାରେ ଶାନ୍ତି ଆଣିବାକୁ ହେଲେ ଆମକୁ ନିଶା କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ। ନିଶାଦ୍ରବ୍ୟ ସୁସ୍ଥ ସମାଜ ଗଠନରେ ଯେଉଁ ବାଧକ ସୃଷ୍ଟି କରିଛି ତା’ର ବିଲୋପ ହୋଇପାରିବ । ନିଶାଶକ୍ତ ପରିବାରମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ହୋଇପାରିବ । ଗୋଟିଏ ସୁସ୍ଥ ସୁନ୍ଦର ସମାଜ ଗଠନ ପାଇଁ ଡ୍ରଗ୍ସ କାରବାରକୁ ରୋକିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ଉଲ୍ଲେଖ କରିଛନ୍ତି । ଭୁବନେଶ୍ୱର ବିଧାୟକ ବାବୁ ସିଂ କହିଲେ ଓଡ଼ିଶାକୁ ସରସ ସୁନ୍ଦର ଓ ସୁନା ରୂପେ ଗଢ଼ିବାକୁ ହେଲେ ଆମକୁ ପ୍ରଥମେ ସଚେତନ ହୋଇ ନିଶା କାରବାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ । ଏଥିପ୍ରତି ଆମର ନୈତିକ କର୍ତ୍ତବ୍ୟବୋଧ ଓ ଦାୟିତ୍ୱବୋଧ ରହିଛି ।

ଓଡ଼ିଶାକୁ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଏହି ବିଭାଗର ଲକ୍ଷ୍ୟ ରହିଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଛନ୍ତି । ଜିଲ୍ଲାମାନଙ୍କରେ ପୁରୁଷ ଏବଂ ମହିଳାମାନଙ୍କ ନିଶା ନିବାରଣ କେନ୍ଦ୍ର ଖୋଲାଯାଉଛି ଯୁବ ସମାଜକୁ ପ୍ରେରଣା ଦେବା ପାଇଁ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ସେ ଉଲ୍ଲେଖ କରିଛନ୍ତି ।
ପ୍ରାରମ୍ଭରେ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶକ ଶ୍ରୀମତୀ ନିୟତି ପଟ୍ଟନୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦିଲ୍ଲୀପ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ଏକ ମୁକ୍ତ ଆଲୋଚନା କାର୍ଯ୍ୟକ୍ରମରେ ଆଇଆର୍ସିଏଏସ୍ (IRCAS), ସେ୍ୱଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ଏବଂ ଅଂଶୀଦାରମାନଙ୍କ ସହିତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ନିଶାନିବାରଣ ସମ୍ପର୍କରେ ଆଲୋଚନା କରିଥିଲେ ।
