ଓସ୍ତର ଠାରୁ ଘୋଡାବନ୍ଧ ଯାଏ ଚାଷଜମିରେ ପଥର ପ୍ୟାକିଂ
କେନ୍ଦ୍ରାପଡ଼ା,୧୬/୦୭/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକର ତେରଗାଁ ଗ୍ରାମପଂଚାୟତଟି ସବୁଠୁ ବଡ ପଂଚାୟତ ଅଟେ । ଏହି ପଂଚାୟତ ଅଧିନରେ ବେଲାର ନୂଆଗାଁ, ଘୋଡାବନ୍ଧ, ଓସ୍ତର, ବଡ ତେରଗାଁ, ସାନ ତେରଗାଁ, ପଟଣା, ବାଲିସାହି, ସମନ୍ତସିଂହାରପୁର ଓ ସୁବଳା ଭଳି ବହୁ ଜନବହୁଳ ଗ୍ରାମକୁ ନେଇ ଗଠିତ । ଏହିସବୁ ଗ୍ରାମର ପାଖାପାଖି ୬୫ପ୍ରତିଶତ ଲୋକ ନିଜର ଜୀବିକା ନିର୍ବାହ ନିମନ୍ତେ ପାରାଦୀପ ବନ୍ଦର ଉପରେ ନିର୍ଭର କରିଥାନ୍ତି । ଏମାନେ ପାରାଦୀପ, ଡାକ୍ତରଖାନା, ସ୍କୁଲ ଓ କଲେଜକୁ ଯିବା ପାଇଁ ବେଲାର ନୂଆଗାଁ ଗୋଡା ଦେଇ ଯାଇଥାନ୍ତି ।
ବର୍ତମାନ ୫୩ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ବେଲାର ନୂଆଗାଁ ଗୋଡା ଦେଇ ଯିବା ଆସିବା କରିବା ଅତ୍ୟନ୍ତ ବିପଦ ସଂକୂଳ ହୋଇପଡିବ । କାରଣ ରାସ୍ତା ପାରିହେବା ସମୟରେ ବହୁ ଦୂର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ହେବାର ସମ୍ଭାବନା ଦେଖାଦେବ । ତେଣୁ ୫୩-ନମ୍ବର ଜାତୀୟ ରାଜପଥର ବେଲାର ନୂଆଗାଁ ଗୋଡାରେ ଏକ ଓଭର ବ୍ରିଜ ନିର୍ମାଣ ସହ ଓସ୍ତର ଠାରୁ ଘୋଡାବନ୍ଧ ପର୍ଯ୍ୟନ୍ତ ଚାଷଜମି ପାଶ୍ୱର୍ରେ ପଥର ପ୍ୟାକିଂ କରାଯିବା ଓ କ୍ଷତିଗ୍ରସ୍ତଙ୍କୁ କ୍ଷତିପୁରଣ ପ୍ରଦାନ କରାଯିବାକୁ ପଂଚାୟତବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଏସମ୍ପର୍କରେ ଜିଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ସଂଯୁକ୍ତା ରାଉତ, ରମେଶ ମାହାଳି, ଲୋକନାଥ ମାହାଳି, ସୁବୋଧ ସ୍ୱାଇଁ ଓ ଅନିଲ ଜେନା ପ୍ରମୁଖ ମଙ୍ଗଳବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
