ଆଇନୀଜୀବୀ ସମ୍ମିଳନୀରେ ସମ୍ବର୍ଦ୍ଧିତ ହେଲେ ନବନିର୍ବାଚିତ ବିଧାୟକ

ମାହାଙ୍ଗା, ୨୩/୦୬/୨୦୨୪(ଓଡିଶା ସମାଚାର /ଅଭୟ ଜେନା ) -ଗଣତନ୍ତ୍ରକୁ ସୁଦୃଢ ଏବଂ ସୁରକ୍ଷିତ ରଖିବାକୁ ହେଲେ ସମାଜର ସବୁଠାରୁ ତଳ ସ୍ତରରେ ଥିବା ନିଷ୍ପେସିତ, ନିର୍ୟ୍ୟାତିତ ଏବଂ ଅସହାୟ ପୀଡିତ ଲୋକମାନଙ୍କୁ ଆଇନୀଗତ ସହାୟତା ପ୍ରଦାନ ପାଇଁ ଯୁବ ବିଧାୟକ ସାରଦା ପ୍ରସାଦ ପ୍ରଧାନ  ଆହ୍ୱାନ ଦେଇଛନ୍ତି  ।

ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଐତିହାସିକ ପୀଠ ଆଚାର୍ୟ୍ୟ ପ୍ୟାରୀମୋହନଙ୍କ ଜନ୍ମମାଟି ପଶୁଲୁଣ୍ଡା ଠାରେ ଆଇନୀଜୀବୀ ମାନଙ୍କ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଧାୟକ ଶ୍ରୀ ପ୍ରଧାନ କହିଲେ ସମାଜରେ ଶାନ୍ତି ଓ ସଦଭାବନା ପ୍ରତିଷ୍ଠା କ୍ଷେତ୍ରରେ ଆଇନୀଜୀବୀ ମାନେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି । ସାଲେପୁର ଓକିଲ ସଂଘ ସଭାପତି  ବିକ୍ରମ କେଶରୀ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ମାହାଙ୍ଗା, ସାଲେପୁର, ନିଶ୍ଚିନ୍ତକୋଇଲି, ନେମାଳ, କିଶନନଗର, ପାଗା, ଜଗତପୁର, ଆଠଗଡ, ଏବଂ କଟକ ଅଂଚଳର ଶତାଧିକ ଆଇନୀଜୀବୀ ଯୋଗଦେଇଥିଲେ । ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ୨ଟି ଜେଏମଏଫସି କୋର୍ଟ ପ୍ରତିଷ୍ଠା ପାଇଁ ପୂର୍ବ ସରକାର ରାଜୀବଗାନ୍ଧୀ ସେବା କେନ୍ଦ୍ରକୁ ବ୍ୟବହାର ପାଇଁ ବେଆଇନ ଭାବେ ବିପୁଳ ଅର୍ଥ ବ୍ୟୟ କରିବା ସତ୍ୱେ ତାହା ଏଯାବତ୍ କାର୍ୟ୍ୟକ୍ଷମ ହୋଇନପାରିବା ଦୁର୍ଭାଗ୍ୟର କଥା ବୋଲି ବିଧାୟକ ଶ୍ରୀ ପ୍ରଧାନ କ୍ଷୋଭ ପ୍ରକାଶ କରିଥିଲେ  । କିପରି ସରକାରୀ ଜମି ଉପରେ ନୂତନ କୋର୍ଟ ନିର୍ମାଣ ହୋଇପାରିବ, ସେ ଦିଗରେ ତହସିଲଦାର ଏବଂ ଆଇନୀଜୀବୀ ମାନଙ୍କ ସହିତ ବିଚାର ବିମର୍ଶ କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି  କହିଥିଲେ । ଆଇନୀଜୀବୀ ମାନଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଖୁବ ଶୀଘ୍ର ଆଇନୀମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ନିର୍ଣ୍ଣାୟକ ନିଷ୍ପତି ନିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ  । ଏହି ସମାବେଶରେ ନବ ନିର୍ବାଚିତ ଯୁବ ବିଧାୟକ ସାରଦା ପ୍ରସାଦ ପ୍ରଧାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ, ମାନପତ୍ର, ଏବଂ ବିଭିନ୍ନ ଉପଢୌକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

 ଉତ୍ସବରେ କଟକ କ୍ରିମିନାଲ କୋର୍ଟ ବାର ଆସୋସିଏସନ ସଭାପତି ଆଇନୀଜୀବୀ ଶରତ ଚନ୍ଦ୍ର ପ୍ରଧାନ, ରାଜ୍ୟ ଓକିଲ ସଂଘ ଉପସଭାପତି ଆଇନୀଜୀବୀ ସୁଶାନ୍ତ କୁମାର ବରାଳ, ବରିଷ୍ଠ ଆଇନୀଜୀବୀ ଅମରେନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ  ।

Leave a Reply

Your email address will not be published. Required fields are marked *