ଏସଆଇଆର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ
ଭୁବନେଶ୍ୱର,୧୪/୦୧/୨୦୨୬(ଓଡ଼ିଶା ସମାଚାର)- ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) ପୂର୍ବରୁ ରାଜ୍ୟରେ ବୁଥ୍ (ମତଦାନ କେନ୍ଦ୍ର) ସଂଖ୍ୟାରେ ବୃଦ୍ଧି କରାଯାଇଛି । ପ୍ରାୟ ୭ ହଜାର ବୁଥ୍ ସଂଖ୍ୟା ବଢ଼ାଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର ସୂଚନା ଦେଇଛନ୍ତି ।
ଏସଆଇଆର୍ ପ୍ରସ୍ତୁତି ବିଗତ ପାଂଚ ମାସ ହେଲା ଜାରି ରହିଛି । ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଭାବରେ ବୁଥ୍ ସଂଖ୍ୟାରେ ବୃଦ୍ଧି କରାଯାଇଛି । ପୂର୍ବରୁ ପ୍ରାୟ ୩୬ ହଜାର ବୁଥ୍ ଥିବାବେଳେ ବର୍ଦ୍ଧିତ ସଂଖ୍ୟା ସହିତ ଏହା ୪୩ ହଜାରକୁ ବୃଦ୍ଧି ପାଇଛି । ବର୍ତମାନ ପ୍ରତି ବୁଥରେ ମତ ଦାତାଙ୍କ ସଂଖ୍ୟା ଅତି ବେଶିରେ ୧୨୦୦ ରଖାଯାଇଛି । ଯାହା ଫଳରେ ମତଦାନରେ ଅଧିକ ସମୟ ଲାଗିବ ନାହିଁ । ପୂର୍ବରୁ ଗୋଟିଏ ବୁଥରେ ମତଦାତାଙ୍କ ସଂଖ୍ୟା ୧୪୦୦ ଥିଲା । ଯାହାଦ୍ୱାରା ମତଦାନରେ ବିଳମ୍ବ ହେଉଥିଲା । ଏହା ଜାତୀୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସ୍ୱୀକୃତି ପାଇ ସାରିଛି । ଏସଆଇଆର୍ ପାଇଁ ଏହି ସମସ୍ତ ବୁଥରେ ତାଲିମପ୍ରାପ୍ତ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇ ସରିଛି । ଭାରତୀୟ ନିର୍ବାଚନ ଅୟୋଗଙ୍କ ନିର୍ଦେଶ ଅନୁସାରେ ଏସଆଇଆର୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୁବିଧାରେ କିପରି ଲୋକେ ଏସଆଇଆର୍ ରେ ଅଂଶ ଗ୍ରହଣ କରିପାରିବେ ତାହା ଉପରେ ଧ୍ୟାନ ଦିଆଯାଇଛି ।
