ମୁଖ୍ୟମନ୍ତ୍ରୀଙ୍କ ସହ ହକି ଇଣ୍ଡିଆର କର୍ମକର୍ତ୍ତାଙ୍କ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା

                         ଭାରତୀୟ ହକିର ପ୍ରାୟୋଜକ (sponsorship) କୁ ଆଉ ୩ ବର୍ଷ ବୃଦ୍ଧି କରାଯିବ

ଭୁବନେଶ୍ୱର, ୨୧/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଶ୍ରୀ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି।

      ଆଲୋଚନା ପ୍ରସଙ୍ଗରେ ସେମାନେ କହିଥିଲେ ଯେ ହକି  ପାଇଁ ଓଡ଼ିଶାକୁ ବିଶ୍ଵ ରେ ଗୋଟିଏ ଅଲଗା ପରିଚୟ ମିଳିଛି। ଭାରତୀୟ ହକି ଦଳର ବିକାଶ ରେ ଓଡ଼ିଶା ର ପ୍ରଶଂସନୀୟ ଅବଦାନ ରହିଛି ବୋଲି ସେମାନେ କହିଥିଲେ। ଭବିଷ୍ୟତରେ ଓଡ଼ିଶା ସରକାର ଙ୍କ ସହ ମିଶି ହକି କୁ ପରବର୍ତ୍ତୀ ପର୍ଯ୍ୟାୟ କୁ ନେବା ପାଇଁ ମିଳିମିଶି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

         ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ସରକାର ଙ୍କ ପକ୍ଷରୁ ୨୦୩୬ ମସିହା ରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି, ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆ କୁ ପ୍ରାୟୋଜକ (sponsorship)  ଅବଧି ସମୟକୁ ୨୦୩୩ ରୁ ଆଉ ତିନିବର୍ଷ ପାଇଁ ବୃଦ୍ଧି କରାଯିବ ଏବଂ ହକିର ଉନ୍ନତି ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ ।

  ସୂଚନା ଯୋଗ୍ୟ ଯେ, ଓଡ଼ିଶା ସରକାର ୨୦୧୮ ମସିହା ରୁ ଭାରତୀୟ ହକି ଦଳ ର ପ୍ରାୟୋଜକ (sponsorship)  ଦାୟିତ୍ଵ ନେଇଛନ୍ତି। ୨୦୨୩ ରୁ ୧୦ ବର୍ଷ ପାଇଁ ପ୍ରାୟୋଜକ (sponsor )କରିବା ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ।

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ହକି ପ୍ରତି ଓଡ଼ିଶା ବାସୀଙ୍କ ଭାବାବେଗ କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି ବୋଲି କହିଥିଲେ। ମୁଖ୍ୟଶାସନ ସଚିବ ଶ୍ରୀ ପି . କେ . ଜେନା, କ୍ରୀଡା ସଚିବ ଶ୍ରୀ ଭିନିଲ କ୍ରିଷ୍ଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *